ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ତେଣୁ ପ୍ରକୃତ ପରିଜନଙ୍କୁ ଚିହ୍ନଟ ପାଇଁ ଏମ୍ସରୁ ୩୩ ରକ୍ତ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ। ଦୁଇ ଦିନ ଭିତରେ ଏହାର ରିପୋର୍ଟ ଆସିବ ବୋଲି ସୂଚନା ରହିଛି। ଏବେ ବି ଅନେକ ଶବ ଚିହ୍ନଟ ହୋଇପାରୁନାହିଁ। କିଛି ମୃତଦେହ ପାଇଁ ଜଣେ ବି ଦାବିଦାର ନଥିବା ବେଳେ ଗୋଟେ ଗୋଟେ ମୃତଦେହ ପାଇଁ ୬ ଜଣ ଲେଖାଏ ଦାବିଦାର ବାହାରୁଥିବା ସେ କହିଛନ୍ତି। ଓଡ଼ିଶାରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା ନଥିବାରୁ ଭୁବନେଶ୍ବର ଏମ୍ସ ତତ୍ତ୍ବାବଧାନରେ ଦିଲ୍ଲୀ ଏମ୍ସକୁ ପଠାଯାଇଛି।
ଏମ୍ସ ପରିସରରେ ଅନେକ ବ୍ୟକ୍ତି ନିଜ ପରିଜନଙ୍କୁ ପାଉନଥିବା କିମ୍ବା ପରିଜନଙ୍କ ମୃତଦେହ ଅନ୍ୟ କେହି ନେଇଯାଇଥିବା କହୁଥିବା ଦେଖିବାକୁ ମିଳିଛି । ଅନେକ ବ୍ୟକ୍ତି ବାଲେଶ୍ବରରୁ ତାଙ୍କ ପରିଜନଙ୍କ ମୃତଦେହ ଫଟୋ ଆଣିଛନ୍ତି। ହେଲେ ବିଏମସି ହେଲ୍ପଡେସ୍କ ପକ୍ଷରୁ ଦେଖାଯାଉଥିବା ତାଲିକାରେ ସେ ଫଟୋ ମିଳୁନାହିଁ। ଏପରିକି ଅନେକ ଫଟୋର ଟ୍ୟାଗ ନମ୍ବର ହିଁ ନାହିଁ। ରେଳବାଇ ପକ୍ଷରୁ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଦିଆଯାଉଥିବାରୁ ଅନେକ ନକଲି ସମ୍ପର୍କୀୟ ମଧ୍ୟ ପହଞ୍ଚିଛନ୍ତି। ତେଣୁ ଉପଯୁକ୍ତ ବ୍ୟକ୍ତିଙ୍କୁ ପରିଜନଙ୍କ ମରଶରୀର ହସ୍ତାନ୍ତର ସହିତ ଅନୁକମ୍ପା ରାଶି ଦେବା ପାଇଁ ଡିଏନଏ ଟେଷ୍ଟ ବ୍ୟବସ୍ଥା କରାଯାଇଛି।
Follow Us