ସାଧୁ ଧୀରେନ୍ଦ୍ରକୃଷ୍ଣ ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସୁନାହାର ହରାଇଲେ ୩୬ଜଣ ଭକ୍ତ

Advertisment
ସାଧୁ ଧୀରେନ୍ଦ୍ରକୃଷ୍ଣ ଶାସ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସୁନାହାର ହରାଇଲେ ୩୬ଜଣ ଭକ୍ତ

Image Courtesy of Zee News

ମୁମ୍ବାଇ: ମୀରା ରୋଡ୍‌ ଅନ୍ତର୍ଗତ ସଲାସର୍‌ ସେଣ୍ଟ୍ରାଲ୍‌ ପାର୍କରେ ଆତ୍ମଘୋଷିତ ସାଧୁ ଧୀରେନ୍ଦ୍ରକୃଷ୍ଣ ଶାସ୍ତ୍ରୀ ଶନିବାରଠାରୁ ଆୟୋଜନ କରିଥିବା ଦୁଇଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରାୟ ୩୬ଜଣ ଭକ୍ତଙ୍କର ସୁନାହାର ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି।

ମୀରା ରୋଡ୍‌ ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ଚୋରି ହୋଇଯାଇଥିବା ସୁନା ଅଳଙ୍କାର ମୂଲ୍ୟ ଖୁବ୍‌ ଅଧିକ ହେବ। ସେମାନେ ସେସବୁର ମୂଲ୍ୟାୟନ କରୁଛନ୍ତି। ଦୁଇଲକ୍ଷରୁ ଅଧିକ ଭକ୍ତ ଯୋଗ ଦେଇଥିବା ଉକ୍ତ ସମାବେଶରେ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବା ସହିତ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି। ସମବେତ ହୋଇଥିବା ବହୁସଂଖ୍ୟକ ଜନତାଙ୍କୁ ସୁଚାରୁରୂପେ ପରିଚାଳନା କରାଯାଇ ନ ପାରିବାରୁ ଏ ଭଳି ପରିସ୍ଥିତି ଉପୁଜିଥିଲା। ରବିବାର କାର୍ଯ୍ୟକ୍ରମ ନିମନ୍ତେ ଉତ୍ସବସ୍ଥଳର ପ୍ରବେଶ ପଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଠୋର କରିଥିଲା।

ପୁଲିସ ଅଧିକାରୀମାନଙ୍କ କହିବା ଅନୁସାରେ, ଦଳଚକଟା ଭଳି ପରିସ୍ଥିତି ସୃଷ୍ଟି ହେବାରୁ ସେମାନେ ଚୋରି ପ୍ରତି ଧ୍ୟାନ ନ ଦେଇ ଲୋକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଇଥିଲେ।

publive-image Image Courtesy of Quora

ଅନ୍ୟତମ ଅଭିଯୋଗକାରିଣୀ ମୀରା ରୋଡ୍‌ର ସୁନୀତା ଗୱଲି କହିଛନ୍ତି ଯେ, ଗତ କିଛି ଦିନ ହେବ ତାଙ୍କର ଦୁଇବର୍ଷୀୟ ଝିଅ ଅସୁସ୍ଥ ହୋଇପଡ଼ିଥିଲା। ଭିଡିଓରେ ସେ ଶାସ୍ତ୍ରୀଙ୍କ ଆରୋଗ୍ୟକାରୀ ଶକ୍ତି ଦେଖିଥିଲେ। ତେଣୁ, ସେ ଚିଟାଉରେ (କାଗଜ ଟୁକୁଡ଼ା) ଝିଅର ନାମ ଲେଖି ପକାଇଥିଲେ। ଆଶା କରିଥିଲେ, ବାବା ତାଙ୍କ ଝିଅର ନାଁ ଚୟନ କରି ତାକୁ ଆରୋଗ୍ୟ କରିଦେବେ। କିନ୍ତୁ, ଝିଅ ଆରୋଗ୍ୟ ହେବ କ’ଣ? ଓଲଟି ଏଠାକୁ ଆସି ସେ ତାଙ୍କର ଏକମାତ୍ର ସୁନା ଅଳଙ୍କାର ‘ମଙ୍ଗଳସୂତ୍ର’ଟି ହରାଇ‌ଲେ।

‘ଶାନ୍ତାବେନ୍‌ ମିଠଲାଲ୍‌ ଜୈନ୍‌ ଟ୍ରଷ୍ଟ୍‌’ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ କେତେକ ଅନ୍ଧବିଶ୍ବାସ-ବିରୋଧୀ ଅନୁଷ୍ଠାନ ବିରୋଧ କରି ଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁମତି ନ ଦେବା ଲାଗି ସେମାନେ ଶୁକ୍ରବାର ଦିନ ପୁଲିସକୁ ସ୍ମାରକ ପତ୍ର ମଧ୍ୟ ଦେଇଥିଲେ।

ଅଳଙ୍କାର ଚୋରି ସଂକ୍ରାନ୍ତରେ କାର୍ଯ୍ୟକ୍ରମର ଆୟୋଜକମାନେ କୌଣସି ମନ୍ତବ୍ୟ ଦେଇ ନ ଥିବା ବେଳେ ପୁଲିସ କହିଛି ଯେ, ସେମାନେ ସେ ଅଞ୍ଚଳରେ ଥିବା ‘ସିସିଟିଭି’ କ୍ୟାମେରା ଫୁଟେଜ୍‌ ଯାଞ୍ଚ କରି ସନ୍ଦିଗ୍ଧମାନଙ୍କୁ ଚିହ୍ନଟ କରି ଧରିବା ଲାଗି ଉଦ୍ୟମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe