ନଦୀକୁ ଖସିଲା ବସ୍‌, ୩୬ ମୃତ

Advertisment
ନଦୀକୁ ଖସିଲା ବସ୍‌, ୩୬ ମୃତ

କୋଲକାତା : ମୁର୍ସିଦାବାଦର ଦୌଲତାବାଦରେ ଆଜି ଭୋର୍‌ ସମୟରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ପ୍ରାୟ ୩୬ଟି ମୃତଦେହ ଉଦ୍ଧାର ହୋଇଥିବାବେଳେ ୭ ଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟିରେ ୨ଜଣ ଶିଶୁଙ୍କ ସମେତ ମୋଟ ୫୬ ଜଣ ଯାତ୍ରୀ ଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ଉତ୍ତର ବଙ୍ଗ ରାଜ୍ୟ ପରିବହନ ନିଗମ (ଏନ୍‌ବିଏସ୍‌ଟିସି)ର ଏକ ବସ୍‌ ନଦିଆ ଜିଲ୍ଲା କରିମ୍‌ପୁରରୁ ମାଲ୍‌ଦା ଅଭିମୁଖେ ଭୋର୍‌ ୫.୨୦ରେ ଛାଡ଼ିଥିଲା। ପାଖାପାଖି ୬.୫୫ ସମୟରେ ବାଲିର୍‌ଘାଟ ବ୍ରିଜ୍‌ ଉପରେ ବସ୍‌ଟି ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ବ୍ରିଜ୍‌ ବାଡ଼ରେ ଧକ୍କାଖାଇ ନଦୀ ଭିତରେ ଗଳି ପଡ଼ିଥିଲା। ଫଳରେ ନଦୀର ଗଭୀର ଜଳରେ ବସ୍‌ଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବାବେଳେ ଝରକା କାଚବାଟ ଦେଇ କିଛି ବସ୍‌ଯାତ୍ରୀ ପାଣିରେ ପହଁରିବା ସହ ଉଦ୍ଧାର ପାଇଁ ଚିତ୍କାର କରିଥିଲେ।

ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ୮ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନେ ୪ଟି ମୃତଦେହ ମଧ୍ୟ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ଖବର ଦିଆଯାଇଥିଲେ ହେଁ ୪୦ ମିନିଟ ବିଳମ୍ବରେ ପୁଲିସ ଏବଂ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୨ଟି ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଟେକାପଥର ମାଡ଼ରେ କିଛି ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍‌ ସହ ଫାଙ୍କା ଗୁଳି ଚଳାଇଥିଲା। ତେବେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଉଦ୍ଧାରକାରୀ ଦଳ (ଏନ୍‌ଡିଆର୍‌ଏଫ୍‌ ଟିମ୍‌) ପାଣି ଭିତରେ ପଶିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୋଟ ୩୬ଟି ମୃତଦେହ ଉଦ୍ଧାର କରାଯାଇଛି। ରାତି ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଆସନ୍ତାକାଲି ସକାଳେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe