୨୪ ଘଣ୍ଟାରେ ୩୮ କରୋନା ମୃତ୍ୟୁ: ପିଏମ୍‌ଓର କରୋନା ସମୀକ୍ଷା ବୈଠକ ୮ ରାଜ୍ୟରେ ସଂକମ୍ରଣ ବଢ଼ୁଛି

ଆଉ ୩୯୩ କୋଭିଡ୍‌ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବୃଦ୍ଧି ସହ କରୋନା ମୃତ୍ୟୁ ମଧ୍ୟ ବଢ଼ିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୫,୩୧,୧୯୦ରେ ପହଞ୍ଚିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ପିଏମ୍‌ଓ ପକ୍ଷରୁ ଆଜି କରୋନା ସମୀକ୍ଷା ବୈଠକ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଆଜି କରୋନା ମୁକାବିଲା ଦିଗରେ କିଭଳି ପ୍ରସ୍ତୁତି ଚାଲିଛି ସେନେଇ ସମୀକ୍ଷା କରିଛନ୍ତି। ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ସଚିବ ରା‌ଜେଶ ଭୂଷଣ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଭୂଷଣ କହିଛନ୍ତି, ଦେଶରେ ଗତ କିଛି ଦିନ ହେବ ସଂକ୍ରମଣ ବଢ଼ୁଛି। ୮ଟି ରାଜ୍ୟ କେରଳ, ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶ, ତାମିଲନାଡ଼, କର୍ଣ୍ଣାଟକ ଏବଂ ରାଜସ୍ଥାନରେ ସଂକ୍ରମଣ ବଢ଼ୁଛି ବୋଲି ଭୂଷଣ ସମୀକ୍ଷା ବୈଠକରେ ଅବଗତ କରିଛନ୍ତି। ତେବେ ଏହି ୮ଟି ରାଜ୍ୟର ସକ୍ରିୟ ମାମଲା ଅନୁଶୀଳନରୁ ଜଣାପଡ଼ିଛି ଯେ ୯୨ ପ୍ରତିଶତ କରୋନା ରୋଗୀ ହୋମ୍‌ ଆଇସୋଲେସନରେ ଅଛନ୍ତି।

ଦେଶରେ ଗତ ୨୪ ଘଣ୍ଟାରେ ୧୦,୫୪୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ଛତିଶଗଡ଼ରେ ୪ ଜଣଙ୍କ କରୋନ‌ାରେ ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକରେ ୩ ଜଣଙ୍କର ଏବଂ ରାଜସ୍ଥାନରେ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ପୁଡ଼ଚେରି, ପଂଜାବ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ କେରଳରେ ଗୋଟିଏ ଲେଖାଏ କରୋନା ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ କେରଳ ପୂର୍ବ ୧୧ଟି ମୃତ୍ୟୁକୁ ଏହାର ନୂଆ ତଥ୍ୟରେ ଯୋଡ଼ିଛି। ଦେଶରେ ମୋଟ୍‌ ସକ୍ରିୟ ସଂକମ୍ରଣ ମାମଲା ୬୩,୫୬୨। ଏହା ମୋଟ୍‌ ସଂକ୍ରମଣ ମାମଲାର ୦.୧୪ ପ୍ରତିଶତ। ଦେଶ‌ରେ ଦୈନିକ ପଜିଟିଭ ହାର ୪.୩୯ ପ୍ରତିଶତ। ଅନ୍ୟପକ୍ଷେ କରୋନା ମୃତ୍ୟୁ ହାର ୧.୧୮ ପ୍ରତିଶତ। ମୋଟ୍‌ ୪,୪୨,୫୦,୬୪୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୮.୬୭ ପ୍ରତିଶତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe