ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍ଭି ରମଣାଙ୍କ ଅଧ୍ୟକ୍ଷତାରେ ଆଜି ସୁପ୍ରିମକୋର୍ଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ୩୯ତମ ସମ୍ମିଳନୀ। ଏଥିରେ ଯୋଗ ଦେଇଥିଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍ ମୁରଲୀଧର। ଛଅ ବର୍ଷ ପରେ ଅନୁଷ୍ଠିତ ଏହି ସମ୍ମିଳନୀରେ କୋର୍ଟ ପରିସରରେ ନେଟ୍ୱାର୍କ ସଂଯୋଗୀକରଣର ସୁଦୃଢ଼ୀକରଣ, ଜିଲ୍ଲା ନ୍ୟାୟାଳୟମାନଙ୍କରେ ମାନବ ସମ୍ବଳ ତଥା କାର୍ମିକ ନୀତି, ଉତ୍ତମ ଭିତ୍ତିଭୂମି ଓ ଦକ୍ଷତା ବିକାଶ, ନ୍ୟାୟିକ ଓ ସଂସ୍ଥାଗତ ସଂସ୍କାର ଏବଂ ହାଇକୋର୍ଟମାନଙ୍କରେ ଖାଲି ପଡ଼ିଥିବା ପଦବି ପୂରଣ ନେଇ ଆଲୋଚନା ହୋଇଥିଲା।
ସମ୍ମିଳନୀରେ କୋଭିଡ-୧୯ ମହାମାରୀ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଦ୍ବାରା ନ୍ୟାୟିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନାକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଶ୍ରୀ ରମଣା ପ୍ରଶଂସା କରିଥିଲେ। ଖାଲି ବିଚାରପତି ପଦ ପୂରଣ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ନାମ ସୁପାରିସ କରି ପଠାଇବା ପାଇଁ ସେ ଅନୁରୋଧ କରିଥିଲେ। ସମ୍ମିଳନୀରେ ଏପ୍ରିଲ ୨୦୧୬ର ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରୀତାକୁ ନେଇ ସମୀକ୍ଷା କରାଯାଇଥିଲା। ଦେଶରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ କି ଭଳି ଆହୁରି ସୁଦୃଢ଼ କରାଯାଇପାରିବ ସେ ନେଇ ବ୍ୟାପକ ବିଚାରବିମର୍ଶ ହୋଇଥିଲା। ଆସନ୍ତାକାଲି ଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହେବ। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।
Follow Us