the Indian express
ମୁମ୍ବାଇ: ମହାରାଷ୍ଟ୍ରର ବାରାମତିରେ ଖାଲି ରେମଡେସିଭିର ଶିଶିରେ ପାରାସିଟାମଲ ଭର୍ତ୍ତି କରି ବୋତଲ ପିଛା ୩୫ ହଜାର ଟଙ୍କାରେ ବିକୁଥିବା ଠକ ଦଳର ପର୍ଦ୍ଦାଫାସ ହେବା ସହ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସୂଚନାନୁଯାୟୀ, ଦେଶର ସବୁଠୁ କୋଭିଡ୍ କ୍ଷତିଗ୍ରସ୍ତ ରାଜ୍ୟ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିବା ସହ ଭୂତାଣୁ ବିରୋଧୀ ଔଷଧ ରେମଡେସିଭିରର ମଧ୍ୟ ଚାହିଦା ବଢ଼ିବାରେ ଲାଗିଛି। ଏହି ଅବସରରେ ବିଭିନ୍ନ ଭେଜାଲ ଔଷଧର କଳାବଜାର ଚାଲିବା ସହ ନକଲି ଇଞ୍ଜେକ୍ସନ ମଧ୍ୟ ବିକ୍ରି ହେଉଥିବା ଅଭିଯୋଗ ରହିଛି। ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାରାମତି କୋଭିଡ୍ ଉପଶମ କେନ୍ଦ୍ରରେ କାମ କରୁଥିବା ଜଣାଯାଇଛି।
ସେଠାରୁ ସେ ବ୍ୟବହୃତ ରେମଡେସିଭିର ଇଞ୍ଜେକ୍ସନର ଖାଲି ଶିଶିଗୁଡ଼ିକୁ ସଂଗ୍ରହ କରି ସେଥିରେ ତରଳ ପାରାସିଟାମଲ ଭର୍ତ୍ତି କରି ବଜାରକୁ ଛାଡୁଥିଲା। ଏପରିକି ଏହି ନକଲି ରେମଡେସିଭିର ଇଞ୍ଜେକ୍ସନକୁ କିଛି କୋଭିଡ୍ ପୀଡ଼ିତ ୩୫ ହଜାର ଟଙ୍କା ଦେଇ କିଣୁଥିଲେ। ପୁଲିସ ଚଢ଼ଉ କରି ପ୍ରଶାନ୍ତ ଘରକ, ଶଙ୍କର ପିସେ, ଦିଲ୍ଲୀପ ଗାଏକ୍ୱାଡ଼ ଓ ସନ୍ଦୀପ ଗାଏକ୍ୱାଡ଼ ନାମକ ୪ ଜଣଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଚଳାଇଛି।
Follow Us