ବଗୋଟା: ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୪ଜଣ ପିଲାଙ୍କୁ ପ୍ରାୟ ୪୦ ଦିନର ବ୍ୟାପକ ତଲାସ ଅଭିଯାନ ପରେ ଚିରଶ୍ୟାମଳ ଆମାଜନ୍ ଘନ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର କରାଯାଇଥିବା କଥା ଆଜି କୋଲୋମ୍ବିୟାର ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ କହିଛନ୍ତି।
ମେ ୧ ତାରିଖ ଦିନ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ନିଖୋଜ ହୋଇଯାଇଥିବା ଏହି ୪ ଭାଇଭଉଣୀଙ୍କ ସନ୍ଧାନ ପାଇବା ନିମନ୍ତେ ତଲାସ ଅଭିଯାନରେ ଅଂଶ ଗ୍ରହଣ କରିଥିବା କେତେକ ସେନା ଓ ଆଦିମ ଅଧିବାସୀଙ୍କ ଫଟୋ ପୋଷ୍ଟ୍ କରି ପିଟ୍ରୋ କହିଛନ୍ତି: ସମଗ୍ର ଦେଶ ପାଇଁ ଆନନ୍ଦର ବିଷୟ! କୋଲୋମ୍ବୀୟ ଜଙ୍ଗଲରେ ୪୦ ଦିନ ତଳେ ହଜିଯାଇଥିବା ୪ଜଣ ପିଲା ବଞ୍ଚିଛନ୍ତି।
Image Courtesy of BBCଫଟୋରେ କଙ୍କାଳସାର ହୋଇଯାଇଥିବା ପରି ଦିଶୁଥିବା ୪ ଭାଇଭଉଣୀଙ୍କୁ ତଲାସକାରୀମାନେ ଏକାଠି ଥିବା ଅବସ୍ଥାରେ ପାଇଥିଲେ। ଏବେ ସେମାନଙ୍କର ଡାକ୍ତରୀ ଚିକିତ୍ସା ଚାଲିଛି ବୋଲି ପିଟ୍ରୋ ସାମ୍ବାଦିକମାନଙ୍କୁ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଆଜି ଏ ପିଲାମାନେ ହେଉଛନ୍ତି ଶାନ୍ତିର ପିଲା ତଥା କୋଲୋମ୍ବିୟାର ପିଲା। ଆଜିର ଦିନ ଗୋଟାଏ ‘କୁହକମୟ ଦିନ’। ଏହା ହେଉଛି ‘ତିଷ୍ଠି ରହିବା’ର ଗୋଟାଏ ପ୍ରକୃଷ୍ଟ ଉଦାହରଣ ଏବଂ ଏ ପିଲାମାନଙ୍କର ଗାଥା ଇତିହାସରେ ହୋଇ ରହିବ।
ନିଖୋଜ ହୋଇଯାଇଥିବା ପିଲାମାନେ ମୂଳତଃ ‘ୟୁଟୋଟୋ’ ଆଦିମ ଅଧିବାସୀ ଶ୍ରେଣୀର ଏବଂ ସେମାନଙ୍କର ବୟସ ହେଉଛି ଯଥାକ୍ରମେ:- ୧୩, ୯, ୪ ଓ ୧ ବର୍ଷ। ମେ ୧ ତାରିଖ ପୂର୍ବାହ୍ନରେ ସେମାନେ ଗୋଟିଏ ଇଞ୍ଜିନ୍ବିଶିଷ୍ଟ ଛୋଟ ବିମାନ ‘ସେସ୍ନା ୨୦୬’ରେ ଯାତ୍ରା କରୁଥିବା ବେଳେ ତାହା ଦୁର୍ଘଟଣା ଗ୍ରସ୍ତ ହୋଇ ଆମାଜନ୍ ଜଙ୍ଗଲରେ ପଡ଼ିଯାଇଥିଲା। ସେବେଠାରୁ ସେମାନେ ଘନଜଙ୍ଗଲରେ ଫଳମୂଳ ଖାଇ ସାହାଯ୍ୟ ଆଶାରେ ଲକ୍ଷ୍ୟହୀନ ଭାବେ ବୁଲୁଥିଲେ।
Image Courtesy of BBCଏପଟେ ତଲାସକାରୀମାନେ ମାଟିରେ ଛୋଟ ପାଦଚିହ୍ନ ଦେଖିବା ପରେ ସେମାନେ ବଞ୍ଚିଥିବେ ବୋଲି ଆଶା ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ପୂର୍ବରୁ ଉକ୍ତ ବିମାନ ଦୁର୍ଘଟଣାସ୍ଥଳରୁ ସେନା ସେମାନଙ୍କର ମାଆ, ଜଣେ ଆତ୍ମୀୟ ଓ ବିମାନର ପାଇଲଟ୍ ଶବ ଉଦ୍ଧାର କରିଥିଲା।
Follow Us