୪ କଂଗ୍ରେସ ସାଂସଦ ଲୋକସଭାରୁ ନିଲମ୍ବିତ

Advertisment
୪ କଂଗ୍ରେସ ସାଂସଦ ଲୋକସଭାରୁ ନିଲମ୍ବିତ

ନୂଆଦିଲ୍ଲୀ: ୪ ଜଣ କଂଗ୍ରେସ ସାଂସଦ ଆଜି ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକ ପାଇଁ ସେମାନଙ୍କୁ ଗୃହରୁ ନିଲମ୍ବନ କରାଯାଇଛି। ଦର ବୃଦ୍ଧିକୁ ବିରୋଧ କରି ଲଗାତାର ଗୃହରେ ପ୍ଲାକାର୍ଡ ଧରି ହୋହଲ୍ଲା ଏବଂ ହଟ୍ଟଗୋଳ କରିବାରୁ ଲୋକସଭ‌ା ଅଧ୍ୟକ୍ଷ ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଂଗ୍ରେସ ସାଂସଦ ମଣିକମ ଟାଗୋର, ଜୋଥିମଣୀ, ରାମ୍ୟା ହରିଦାସ ଏବଂ ଟିଏନ୍‌ ପ୍ରଥାପନଙ୍କୁ ଲୋକସଭାରୁ ଚଳିତ ମୌସୁମୀ ଅଧିବେଶନ ପାଇଁ ନିଲମ୍ବନ କରାଯାଇଛି। ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ପରେ ୪ କଂଗ୍ରେସ ସାଂସଦ ଆଜି ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ଦର ବୃଦ୍ଧି ବିରୋଧରେ ସ୍ଲୋଗାନ ଦେଇ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ଆନ୍ଦୋଳନ ଆଗକୁ ଜାରି ରହିବ ବୋଲି କହିଛନ୍ତି। ଇତି ମଧ୍ୟରେ କଂଗ୍ରେସ କହିଛି , ସରକାର ଏହାର ସାଂସଦଙ୍କୁ ନିଲମ୍ବନ କରି ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି। କଂଗ୍ରେସ କହିଛି, ଆମ ସାଂସଦମାନେ ଦର ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି। ଲୋକସଭାରେ କଂଗ୍ରେସ ଉପନେତା ଗୌରବ ଗୋଗଇ କହିଛନ୍ତି, ଦର ବୃଦ୍ଧି, ଜିଏସଟି ବୃଦ୍ଧିକୁ ବିରୋଧ କରି ସାଂସଦମାନେ ପ୍ଲାକାର୍ଡ ଧରି ଆନ୍ଦୋଳନ କରିଛନ୍ତି। ଆମେମାନେ ଏହି ବିଷୟ ଉପରେ ଆଲୋଚନା ପାଇଁ ଦାବି କଲୁ। କିନ୍ତୁ କୌଣସି ଆଲୋଚନା ହୋଇପାରିଲାନି।

ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଅପରାହ୍ନ ୩ଟା ପରେ ଆଲୋଚନା ପାଇଁ ବାଚସ୍ପତି କହିଥିଲେ। ୩ଟା ପରେ ଯଦି ତୁମେ ହୋହଲ୍ଲା କରିବାକୁ ଚାହୁଛ ତେବେ ସଂସଦ ବାହାରେ ହୋହଲ୍ଲା କର, ନଚେତ ମୁଁ ବାଧ୍ୟ ହୋଇ ଗୃହର ମର୍ଯ୍ୟାଦା ଏବଂ ପବିତ୍ରତା ରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ବାଚସ୍ପତି ‌ଚେତାବନୀ ‌ଦେଇଥିଲେ। ବାଚସ୍ପତିଙ୍କ ଚେତାବନୀ ସତ୍ତ୍ବେ ବିରୋଧୀ ସାଂସଦମାନେ ହୋହଲ୍ଲା କରିବାରୁ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe