ଅଜମୈର: ଗୁରୁବାର ସକାଳେ ଅଜମୈରର ଏକ ହୋଟେଲ୍ରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ସକାଳ ପ୍ରାୟ ୮ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଯାଇଛି। ସକାଳୁ ସକାଳୁ ହୋଟେଲ୍ ନାଜରେ ନିଆଁ ଲାଗିବା ଫଳରେ ଲୋକ ଭୟଭୀତ ହୋଇ ଧାଁଦୌଡ଼ କରିଥିଲେ। କିଛି ଲୋକ ଜୀବନ ବଞ୍ଚାଇବା ପାଇଁ ସିଧା ହୋଟେଲରୁ ଡେଇଁ ପଡ଼ିଥିଲେ। ଏହାରି ଭିତରେ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି। ଜଣେ ମାଆ ନିଜ ପିଲାକୁ ବଞ୍ଚାଇବା ପାଇଁ ୩ ମହଲା ଉପରୁ ଫିଙ୍ଗୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ଜବାହରଲାଲ ନେହେରୁ ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ଅନିଲ ସାମାରିଆ କହିଛନ୍ତି ଯେ, ଶ୍ୱାସରୁଦ୍ଧ ଏବଂ ପୋଡ଼ିଯିବା କାରଣରୁ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ନିଜ ପିଲାକୁ ବଞ୍ଚାଇବା ପାଇଁ, ଜଣେ ମହିଳା ତାଙ୍କୁ ହୋଟେଲ ଝରକାର ତୃତୀୟ ମହଲା ଉପରୁ ଫିଙ୍ଗି ଦେଇଥିଲେ। ପିଲାଟି ସାମାନ୍ୟ ପୋଡ଼ି ଯାଇଛି।
"ଜଣେ ମହିଳା ତାଙ୍କ ପିଲାକୁ ଝରକା ଦେଇ ମୋ କୋଳରେ ଫୋପାଡ଼ି ଦେଇଥିଲେ। ସେ ମଧ୍ୟ କୋଠାରୁ ଡେଇଁବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆମେ ତାଙ୍କୁ ବାଧା ଦେଇଥିଲୁ," ହୋଟେଲରେ ରହୁଥିବା ମାଙ୍ଗିଲା କାଲୋସିଆ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ଏପରି କହିଛନ୍ତି।
Follow Us