Representative Image Courtesy of India Today
ଜମ୍ମୁ: ବୁଧବାର ଦିନ ଜମ୍ମୁ ଓ କଶ୍ମୀରର କିସ୍ତୱାର୍ ଜିଲ୍ଲା ଅନ୍ତର୍ଗତ ଏକ ସୁଦୂର ଗ୍ରାମରେ ଅକସ୍ମାତ୍ ପ୍ରବଳ ବର୍ଷା ହେବାରୁ ଅନ୍ୟୂନ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୩୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ନିଖୋଜ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, କିସ୍ତ୍ୱାର୍ ଦଚାନ ତହସିଲ୍ ଅନ୍ତର୍ଗତ ହୋଞ୍ଜାର ଗ୍ରାମରେ ବୁଧବାର ପ୍ରତ୍ୟୁଷରେ ଉପରୋକ୍ତ ବିପର୍ଯ୍ୟୟ ଘଟିଛି। ସେ ଗାଁକୁ ସଡ଼କ ସଂଯୋଗ ନାହିଁ।
ଗଣମାଧ୍ୟମକୁ କିସ୍ତ୍ୱାର୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଅଶୋକ କୁମାର ଶର୍ମା କହିଛନ୍ତି, ଉଦ୍ଧାର କାର୍ଯ୍ୟ ନିମନ୍ତେ ସମ୍ପୃକ୍ତ ଅଞ୍ଚଳକୁ ସେନା ଓ ପୁଲିସକୁ ପଠାଯାଇଛି।
Representative Image Courtesy of Marketshockersଗତ ଅଳ୍ପ କେତେ ଦିନ ହେଲା ଜମ୍ମୁର ଅଧିକାଂଶ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହେଉଛି। ଜୁଲାଇ ଶେଷ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଥିବାରୁ ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣକୁ ଅଧିକ ସତର୍କ ରହିବା ଲାଗି କିସ୍ତ୍ୱାର୍ ସରକାରୀ କର୍ତ୍ତୃପକ୍ଷ ମଙ୍ଗଳବାର ରାତିରେ ପରାମର୍ଶ ଦେଇଛନ୍ତି।
ଏ ସଂକ୍ରାନ୍ତରେ ମଙ୍ଗଳବାର ରାତିରେ ଜିଲ୍ଲା ପ୍ରଶାସନ ଜାରି କରିଥିବା ସତର୍କ ସୂଚନାରେ ଉଲ୍ଲେଖ ଅଛ, ଆଗାମୀ ଦିନମାନଙ୍କରେ ପ୍ରବଳ ବର୍ଷା ହେବ ଏବଂ ନଈନାଳରେ ବଢ଼ି ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଫଳରେ ନଈ, ନାଳ ଏବଂ ଅନ୍ୟାନ୍ୟ ଜଳାଶୟ ଓ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରେ ନିକଟରେ ବାସ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ।
Follow Us