india
ନୂଆଦିଲ୍ଲୀ: ଟିକାକରଣ ନେଇ ତଥ୍ୟ ପ୍ରବେଶ ତ୍ରୁଟିକୁ କମ୍ କରିବା ପାଇଁ କୋଉଇନ୍ ସିଷ୍ଟମରେ ଚାରି ଅଙ୍କ ବିଶିଷ୍ଟ ସୁରକ୍ଷା କୋଡର ଏକ ନୂତନ ବୈଶିଷ୍ଟ୍ୟ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର | ମେ' ୮ରୁ ଚାରି ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ ଉପଲବ୍ଧ ହେବ, ଯାହା ପରବର୍ତ୍ତୀ ସମୟରେ ଟିକା ନେଉଥିବା ଲୋକଙ୍କର ହେଉଥିବା ଅସୁବିଧାକୁ ହ୍ରାସ କରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କେତେକ କ୍ଷେତ୍ରରେ ଏହା ଲକ୍ଷ୍ୟ କରାଯାଇଛି ଯେ ନାଗରିକମାନେ କରୋନା ଟିକାକରଣ ପାଇଁ କୋଉଇନ୍ ପୋର୍ଟାଲ୍ ମାଧ୍ୟମରେ ବୁକ୍ କରି ନିର୍ଦ୍ଧାରିତ ଦିନରେ ଟିକାକରଣ ପାଇଁ ଯାଇ ନଥିଲେ ମଧ୍ୟ ସେମାନଙ୍କ ପାଖକୁ ଟିକାର ଡୋଜ ଦିଆଯାଇଥିବା ନେଇ ମେସେଜ ଆସୁଛି | ଏହାର କାରଣ ଜାଣିବା ପାଇଁ ବିଭିନ୍ନ ପରୀକ୍ଷା କରାଯାଇଥିବା ବେଳେ ଏବେ ଏହାର କାରଣ ସାମ୍ନାକୁ ଆସିଛି | ଅନେକ ସମୟରେ ଟିକା ଦେଉଥିବା ସ୍ୱାସ୍ଥ୍ୟକର୍ମୀ, ଅନଲାଇନ ବୁକିଂ କରି ଲୋକେ ଟିକା ନେବାକୁ ଆସିନଥିଲେ ମଧ୍ୟ ଟିକା ନେଇଥିବା ନେଇ କୋଉଇନ୍ ପୋର୍ଟାଲରେ ଭୁଲ ତଥ୍ୟ ପ୍ରବେଶ କରାଇଦେଇଥାନ୍ତି | ଏହି ସମସ୍ୟାକୁ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚାରି ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ ଆଣିଛି |
NDTV.comଆସନ୍ତାକାଲିଠାରୁ ଟିକା ନେବା ପାଇଁ ଅନଲାଇନ ବୁକ କଲେ ୪ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ ଆପଣ ଦେଇଥିବା ମୋବାଇଲ ନମ୍ବରକୁ ଆସିବ | ଟିକାକରଣ କେନ୍ଦ୍ରକୁ ଯିବା ପରେ ଟିକା ଦେଉଥିବା ସ୍ୱାସ୍ଥ୍ୟକର୍ମୀ ଆପଣଙ୍କୁ ଏହି କୋଡ ପଚାରିବେ | ଆପଣ କୋଡ ଦେବା ପରେ ଆପଣଙ୍କୁ ଟିକା ଦିଆଯିବ ଏବଂ ସଙ୍ଗେ ସଙ୍ଗେ ଏ ନେଇ ଆପଣଙ୍କୁ ମେସେଜ ଆସିବ | ଏଭଳି ହେବା ଦ୍ୱାରା ଯଦି ଆପଣ ବୁକ କରି ଟିକା ନେବାକୁ ଯାଇନାହାନ୍ତି, ତେବେ ଆପଣ ଟିକା ନେଇଥିବା ନେଇ ଭୁଲ ତଥ୍ୟ କୋଉଇନ୍ ପୋର୍ଟାଲରେ ପ୍ରବେଶ ହେବ ନାହିଁ |
Follow Us