Image Courtesy of India Today
ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଜି ସୁପ୍ରିମ୍ କୋର୍ଟର ଚାରି ଜଣ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସୁପ୍ରିମ୍ କୋର୍ଟର ପ୍ରଶାସନ ଓ ବିଧିବ୍ୟବସ୍ଥା ଠିକ ଭାବେ କାମ କରୁନାହିଁ ବୋଲି କହିଛନ୍ତି। ସେମାନଙ୍କୁ ଯେଉଁଭଳି ଭାବେ ମାମଲାର ଅାବଣ୍ଟନ କରାଯାଉଛି ତାହା ସଠିକ ନୁହେଁ ବୋଲି ଦର୍ଶାଯାଇଛନ୍ତି। ଏହା ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି, କାରଣ ଅାଗରୁ ଏଭଳି ନଜୀର ନାହିଁ।
ଏ ନେଇ ସେମାନେ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ଏକ ଚିଠି ଲେଖିଥିଲେ ମଧ୍ୟ ସେ ଏକଥା ଶୁଣୁ ନାହାନ୍ତି ବୋଲି ସୁପ୍ରିମ୍ କୋର୍ଟର ଚାରି ଜଣ ବିଚାରପତି ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତିଙ୍କ ଉପରେ ଦୋଷାରୋପ କରିଛନ୍ତି।
ଜଷ୍ଟିସ୍ ଜେ ଚେଲାମେଶ୍ୱର ଏବଂ ସୁପ୍ରିମ୍ କୋର୍ଟର ଅନ୍ୟ ତିନି ଜଣ ବରିଷ୍ଠ ବିଚାରପତି ଜଷ୍ଟିସ୍ କୁରିଆନ ଜୋସେଫ, ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍ ମଦନ ଲୋକୁର ଏହି ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି। ଦିଲ୍ଲୀର ୪ ତୁଗଲକ ରୋଡ୍ରେ ଅବସ୍ଥିତ ଜଷ୍ଟିସ୍ ଜେ ଚେଲାମେଶ୍ୱରଙ୍କ ସରକାରୀ ବାସଭବନରେ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇଛି।
ଦୁଃଖର ସହ ଆମେ ସାମ୍ବାଦିକ ସମ୍ମିଳନୀ ଡାକିବାକୁ ବାଧ୍ୟ ହୋଇଛୁ। ସୁପ୍ରିମ୍ କୋର୍ଟର ପ୍ରଶାସନ ଶୃଙ୍ଖଳିତ ହୋଇ ନାହିଁ। ଗତ କେତେ ମାସ ମଧ୍ୟରେ ଅନେକ ଅବାଞ୍ଛିତ କଥା ଘଟିଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ୍ ଚେଲେମେଶ୍ୱର କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀ ଭାରତୀୟ ନ୍ୟାୟିକ ଇତିହାସରେ ଅସାଧାରଣ ଘଟନା ବୋଲି କୁହାଯାଉଛି।
ଜଷ୍ଟିସ୍ ଚେଲାମେଶ୍ୱର ଆହୁରି କହିଛନ୍ତି: ନୀତିଭ୍ରଷ୍ଟ ହୋଇଛୁ ବୋଲି ଆମକୁ ଦୋଷ ଦିଆ ନ ଯାଉ। ଦେଶ ଏବଂ ଅନୁଷ୍ଠାନ ପ୍ରତି ଆମର ଦାୟିତ୍ୱ ରହିଛି।
ଭାରତର ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରାଯିବ କି, ବୋଲି ପଚାରିବାରୁ ଜଷ୍ଟିସ୍ ଚେଲାମେଶ୍ୱର କହିଲେ: ଦେଶ ଏକଥା ସ୍ଥିର କରୁ।
ନ୍ୟାୟିକ ଦୁର୍ନୀତି ଏବଂ ନିଯୁକ୍ତି କେବଳ ବିଚାର ବିଭାଗ ଏବଂ ସକାରଙ୍କ ମଧ୍ୟରେ ମନାନ୍ତରର ମୁଖ୍ୟ କାରଣ ନୁହେଁ, ନ୍ୟାୟିକ ସମ୍ପ୍ରଦାୟ ମଧ୍ୟରେ ବି ଏହା ମନାନ୍ତରର କାରଣ।
ଭାରତ ଇତିହାସରେ ଦେଶର ବରିଷ୍ଠ ବିଚାରପତିମାନେ ଗଣମାଧ୍ୟମ ଜରିଆରେ ସିଧାସଳଖ ଦେଶବାସୀଙ୍କୁ କହିବାର ପ୍ରଥମ ଘଟଣା।
Follow Us