Image Source: Hindustan Times
ଶ୍ରୀନଗର: ରବିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର କୁଲ୍ଗାମ୍ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନଙ୍କ ପରିଚୟ ପାଇବାକୁ ଉଦ୍ୟମ କରାଯାଉଛି। ଏହି ଏନ୍କାଉଣ୍ଟର୍ରେ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି ଓ ସେ ଚିକିତ୍ସାଧୀନ ଅଛନ୍ତି।
ଦେବସାର ଅନ୍ତର୍ଗତ ଗୁଦ୍ଦାର ଗାଁରେ ପାଟ୍ରୋଲିଙ୍ଗ୍ କରୁଥିବା ଭାରତୀୟ ସେନାବାହିନୀ, ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ ଫୋର୍ସ ଏବଂ କୁଲ୍ଗାମ୍ ପୁଲିସ ଉପରକୁ ଆକ୍ରମଣ ହେବା ପରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା। ରାତିରେ ମଧ୍ୟ ଏନ୍କାଉଣ୍ଟର୍ ଚାଲିଥିବା କଥା କୁଲ୍ଗାମ୍ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କହିଛନ୍ତି।
Image Source: Zee Newsଦଳେ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି ବୋଲି ସୂଚନା ପାଇବା ପରେ ପାଟ୍ରୋଲ୍ ପାର୍ଟି ସେ ଗାଁକୁ ଯାଇଥିଲେ। ସେମାନେ ନିକଟତର ହେବାକ୍ଷଣି ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସ୍ବୟଂକ୍ରିୟ ବନ୍ଧୁକରୁ ଗୁଳି ଚଳାଇଥିଲେ। ପାଟ୍ରୋଲିଙ୍ଗ୍ ପାର୍ଟି ପାଲଟା ଗୁଳି ଚଳାଇବାରୁ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା।
ପ୍ରତିରକ୍ଷାତ୍ମକ ପଦକ୍ଷେପସ୍ବରୂପ ଜିଲ୍ଲାରେ ମୋବାଇଲ୍ ଇଣ୍ଟର୍ନେଟ୍ ସେବା ବନ୍ଦ କରାଯାଇଛି।
ଗତ ସପ୍ତାହକ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳରେ ଏହା ହେଉଛି ଚତୁର୍ଥ ଏନ୍କାଉଣ୍ଟର୍। ଏହି ଏନ୍କାଉଣ୍ଟର୍ରେ ଦକ୍ଷିଣ କଶ୍ମୀରର ବିଭିନ୍ନ ଜିଲ୍ଲାରେ ସମୁଦାୟ ୧୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
Follow Us