Image Courtesy of NDTV
ଲକ୍ଷ୍ନୌ: ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍କର୍ଙ୍କ ୯୩ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଉତ୍ତର ପ୍ରଦଶେର ଅଯୋଧ୍ୟା ନଗରୀ ଦେଇ ପ୍ରବାହିତ ସରଯୂ ନଦୀ ତୀର ଅନ୍ତର୍ଗତ ଏକ ପ୍ରମୁଖ ଛକରେ ୧୪ ଟନ୍ ଓଜନବିଶିଷ୍ଟ ଗୋଟାଏ ୪୦ ଫୁଟ୍ ଲମ୍ବ ଓ ୧୨ ମିଟର ଉଚ୍ଚ ବୀଣା ସ୍ଥାପନ କରାଯାଇଛି।
ଲତା ମଙ୍ଗେସ୍କର୍ଙ୍କ ନାମରେ ନାମିତ ଉକ୍ତ ଛକକୁ (ଲତା ମଙ୍ଗେସ୍କର୍ ଚୌରା) ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚ୍ୟୁଆଲ୍ରେ ଉଦ୍ଘାଟନ କରିବେ। ଛକର ଉଦ୍ଘାଟନୀ ଉତ୍ସବରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ୍ ରେଡ୍ଡୀ ଉପସ୍ଥିତ ରହିବେ। ଏହି ସମାରୋହକୁ ଅଧ୍ୟାତ୍ମିକ ଓ ରାଜନୈତିକ ନେତାମାନଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି।
ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜନ୍ମଦିନରେ ଲତାଦିଦିଙ୍କୁ ସ୍ମରଣ କରୁଛି। ମୋର ମନେପଡୁଛି, ତାଙ୍କ ସହିତ ବହୁଥର ଆଳାପ ଆଲୋଚନା କରିବା ବେଳେ ସେ ମତେ ଅଜସ୍ର ଶ୍ରଦ୍ଧା ଅଜାଡ଼ି ପକାଉଥିଲେ। ଅଯୋଧ୍ୟାର ଗୋଟାଏ ଛକ ତାଙ୍କ ନାମାନୁସାରେ ନାମିତ ହେଉଥିବା ଜାଣି ମୁଁ ଆନନ୍ଦିତ। ଅନ୍ୟତମ ପ୍ରଖ୍ୟାତ ଭାରତୀୟ ବ୍ୟକ୍ତିତ୍ବଙ୍କ ପ୍ରତି ଏହା ହେଉଛି ଯଥାମାନ୍ୟ ଶ୍ରଦ୍ଧାଞ୍ଜଳି।
Image Courtesy of India TVଏହି ଅବସରରେ ଅଯୋଧ୍ୟା ନଗରୀର ରାମ କଥା ଉଦ୍ୟାନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଲତା ମଙ୍ଗେସ୍କର୍ଙ୍କ ଜୀବନ ଉପରେ ଆଧାରିତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଛି।
ଏହି ଛକ ପର୍ଯ୍ୟଟକ ଓ ସଙ୍ଗୀତପ୍ରେମୀମାନଙ୍କ ପାଇଁ ଆକର୍ଷଣର ସ୍ଥାନ ହେବ ବୋଲି ପୂର୍ବରୁ ଉତ୍ତର ପ୍ରଦେଶର ସରକାରୀ ଅଧିକାରୀମାନେ କହିଥିଲେ। ଦେଶରେ ବିଶାଳ ବାଦ୍ୟଯନ୍ତ୍ରର ଏଭଳି ସ୍ଥାପତ୍ୟ ସ୍ଥାପନାରେ କରାଯିବାରେ ଏହା ହେଉଛି ପ୍ରଥମ ଘଟଣା। ସେ ସ୍ଥାନର ବିକାଶ ନିମନ୍ତେ ପ୍ରାୟ ୭.୯ କୋଟି ଟଙ୍କା ବ୍ୟୟ କରାଯାଇଛି ବୋଲି ସେମାନେ ସୂଚନା ଦେଇଛନ୍ତି। ଦୁଇ ମାସରେ ଏହି ବୀଣା-ସ୍ଥାପତ୍ୟକୁ ନିର୍ମାଣ କରିଛନ୍ତି ପଦ୍ମଶ୍ରୀ ରାମ ସୂତାର।
Follow Us