ଦିଲ୍ଲୀ ହିଂସା ପରେ ୪୦୦ ଚାଷୀ ନିଖୋଜ, ଦିଲ୍ଲୀ ପୁଲିସ ଅଟକ ରଖିଥିବା ଅଭିଯୋଗ

ଦିଲ୍ଲୀ ହିଂସା ପରେ ୪୦୦ ଚାଷୀ ନିଖୋଜ, ଦିଲ୍ଲୀ ପୁଲିସ ଅଟକ ରଖିଥିବା ଅଭିଯୋଗ

ନୂଆଦିଲ୍ଲୀ: ୨୬ ଜାନୁଆରିରେ ଦିଲ୍ଲୀରେ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀ ଚାଷୀଙ୍କ ପକ୍ଷରୁ ଟ୍ରାକ୍ଟର ରୢାଲି ଅନୁଷ୍ଠିତ ହୋଇଥିଲା। ତେବେ ଏହି ରୢାଲିରେ ବ୍ୟାପକ ହିଂସା ଓ ଉପଦ୍ରବ ଘଟିବା ପରଠାରୁ ପ୍ରାୟ ୪ ଶହରୁ ଅଧିକ କୃଷକ ଏବଂ ଯୁବକ ନିଖୋଜ ହୋଇଯାଇଛନ୍ତି। ଆଜି ପଂଜାବର କେତେକ ଚାଷୀ ସଂଗଠନ ଏବଂ ଧାର୍ମିକ ସଂଗଠନ ପକ୍ଷରୁ ଏଭଳି ଦାବି କରାଯାଇଛି। ସେମାନେ କହିଛନ୍ତି ଯେ ଟ୍ରାକ୍ଟର ରୢାଲି ହିଂସା ପରେ ନିଖୋଜ ହୋଇଥିବା ସମସ୍ତ ଚାଷୀଙ୍କୁ ଦିଲ୍ଲୀ ପୁଲିସ ହିଁ ବିଭିନ୍ନ ସ୍ଥାନରେ ଅଟକ ରଖିଛି। ଅମୃତସର ଖାଲ୍‌ସା ମିସନ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ନିଖୋଜ ଥିବା ସମସ୍ତ ଚାଷୀ ଟ୍ରାକ୍ଟର ରୢାଲିରେ ସାମିଲ ଥିଲେ ଏବଂ ଖୁବ୍‌ଶୀଘ୍ର ଏହି ମାମଲାରେ ଆମେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ।

ପଂଜାବ-ହରିୟାଣା ହାଇକୋର୍ଟର ଆଇନଜୀବୀ ହାକିମ୍‌ ସିଂହ କହିଛନ୍ତି, ପ୍ରାୟ ୯୦ ଚାଷୀ ପରିବାରର ଅଭିଯୋଗ ମୁତାବକ ସେମାନଙ୍କ ପରିବାରରୁ ଯେଉଁମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ସେମାନଙ୍କର କୌଣସି ସୁରାକ୍‌ ମିଳୁନାହିଁ। ସେମାନେ କୌଣସି ହସ୍ପିଟାଲରେ ମଧ୍ୟ ନାହାନ୍ତି ଏବଂ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କଲେ ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଦିଲ୍ଲୀ ହିଂସା ମାମଲାରେ ପୁଲିସ ଯେଉଁମାନଙ୍କୁ ଅଟକ ରଖିଛି ସେମାନଙ୍କ ମଧ୍ୟରେ ଏହି ନିଖୋଜ ଚାଷୀମାନେ ଅଛନ୍ତି ବୋଲି ପଂଜାବର ଚାଷୀ ନେତାମାନେ କହିଛନ୍ତି। ଏହି ମାମଲାକୁ ନେଇ ପଂଜାବରେ ରାଜନୀତି ସରଗରମ ହୋଇଉଠିଛି। ହିଂସା ମାମଲାରେ ୧୧ ଜଣ ଚାଷୀଙ୍କୁ ତିହାର ଜେଲ୍‌ରେ ରଖାଯାଇଛି ବୋଲି ଦିଲ୍ଲୀ ଶିଖ୍‌ ଗୁରୁଦ୍ବରା ପ୍ରବନ୍ଧକ କମିଟିର ମୁଖ୍ୟ ମନଜିନ୍ଦର ସିଂହ ସିର୍‌ସା କହିଛନ୍ତି। ତେବେ ଅଟକ ଥିବା ଚାଷୀଙ୍କ ସଂପର୍କରେ ସରକାର ତଥ୍ୟ ପ୍ରଘଟ କରୁନାହାନ୍ତି ବୋଲି ସିର୍‌ସା କହିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀରେ ହିଂସା ଓ ଉପଦ୍ରବ ଘଟାଇଥିବା ବ୍ୟକ୍ତିକୁ ଧରିବା ପାଇଁ କ୍ରାଇମ୍‌ ବ୍ରାଞ୍ଚର ୮ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଫରେନ୍ସିକ ବିଶେଷଜ୍ଞଙ୍କ ଏକ ଟିମ ଆଜି ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରୢାଲି ସମୟରେ ହୋଇଥିବା ହିଂସା ସ୍ଥଳରେ ତଦନ୍ତ କରିଛନ୍ତି। ଏହି ଟିମ ମଂଗଳବାର ଲାଲକିଲ୍ଲାରେ ମଧ୍ୟ ତଦନ୍ତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe