ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣମାଧ୍ୟମରେ ସାକ୍ଷାତକାର ଦେଇ ବିଜେପି ନେତୃତ୍ବାଧୀନ ଏନ୍ଡିଏ ଲୋକସଭା ନିର୍ବାଚନରେ ୪୦୦ ଆସନ ଟପିବ ବୋଲି ପୁଣି ଥରେ ଦୃଢ଼ୋକ୍ତି ବାଢ଼ିଛନ୍ତି। ମୋଦୀ କହିଛନ୍ତି '୪୦୦ ପାର୍' କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏବେ ବାସ୍ତବତାରେ ପରିଣତ ହୋଇଛି। ପାଟନାରେ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ ମହିଳା, ଯୁବଗୋଷ୍ଠୀ ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଆସିଥିବା ଭୋଟରମାନଙ୍କୁ ସେମାନଙ୍କ ସକାରାତ୍ମକ ଏବଂ ଶୃଙ୍ଖଳିତ ଭୋଟିଂ ପାଇଁ ପ୍ରଶଂସା କରିଛନ୍ତି। ଭୋଟିଂର କେନ୍ଦ୍ରଭାଗରେ ମୁଁ ନୁହେଁ ବରଂ ୧୪୦ କୋଟି ଲୋକ ଅଛନ୍ତି ବୋଳି ମୋଦୀ କହିଛନ୍ତି। ପ୍ରଥମ ୩ ପର୍ଯ୍ୟାୟ ଭୋଟିଂକୁ ଯଦି ବିଚାରକୁ ନିଆଯାଏ ତେବେ ମୁଁ ଏହା ସ୍ପଷ୍ଟ ଦେଖିପାରୁଛି ଯେ '୪୦୦ ପାର୍' ସ୍ଲୋଗାନ ନୁହେଁ ବରଂ ଏହା ଏବେ ଏକ ବାସ୍ତବତା। ମୋଦୀ କହିଛନ୍ତି, ଲୋକମାନେ ଏନ୍ଡିଏ ଭଳି ଏକ ସୁଦୃଢ଼ ସରକାରକୁ ନିର୍ବାଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରବଳ ଗ୍ରୀଷ୍ମଲହରୀ ସତ୍ତ୍ବେ ସେମାନେ ଦେଶର ଭବିଷ୍ୟତ ପାଇଁ ବିପୁଳ ସଂଖ୍ୟାରେ ଆସି ଭୋଟ୍ ଦେବାନେଇ ସେ ବିଶ୍ବାସ ରଖିଛନ୍ତି। ଅନ୍ୟପକ୍ଷେ ଏନ୍ଡିଏ ୪୦୦ ଆସନରେ ଜିତିବନି ବୋଲି ବିରୋଧୀ ଦାବି କରିଥିବାବେଳେ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଏବଂ କଂଗ୍ରେସ ଦଳକୁ କଟାକ୍ଷ କରିଛନ୍ତି। ଏହି ପ୍ରସଙ୍ଗରେ ମୋଦୀ ସୋନିଆ ଏବଂ ରାହୁଲଙ୍କର ଉଦାହରଣ ଦେଇଛନ୍ତି।
ମୋଦୀ କହିଛନ୍ତି, ସେମାନଙ୍କର ବଡ଼ ନେତା ତଥା ସୋନିଆ ଗାନ୍ଧୀ ରାଜ୍ୟସଭା ଗଲେ। ଅନ୍ୟପକ୍ଷେ ରାହୁଲ ଗାନ୍ଧୀ ୱାୟନାଡ଼ ସହ ରାଏବରେଲିରେ ଲଢ଼ୁଛନ୍ତି। ଆମେଥିରେ ଲଢ଼ିବାପାଇଁ ସେମାନଙ୍କର ସାହସ ନାହିଁ। ମୋଦୀ କହିଛନ୍ତି, ଲୋକଙ୍କର ସେବା କରିବାପାଇଁ ସେମାନଙ୍କର ଆଗ୍ରହ ନାହିଁ। ସେମାନଙ୍କର କେବଳ ସେମାନଙ୍କ ପରିବାରରେ ଆଗ୍ରହ ଅଛି ଏବଂ ସେମାନେ ଦେଶ କଥା କିଛି ଚିନ୍ତା କରୁନାହାନ୍ତି। ଦରବୃଦ୍ଧି ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ବର୍ଷି ମୋଦୀ କହିଛନ୍ତି, ଦେଶ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ସବୁଠାରୁ ବଡ଼ ଧରଣର ଦରବୃଦ୍ଧି ଦେଖିଥିଲା। ଲାଲ୍କିଲ୍ଲାରୁ ଉଦ୍ବୋଧନ ଦେବା ସମୟରେ ଜବାହରଲାଲ୍ ନେହରୁ ଆମ ଦରବୃଦ୍ଧିକୁ ଉତ୍ତର କୋରିଆ ଓ ଦକ୍ଷଇଣ କୋରିଆର ଯୁଦ୍ଧ ସହ ଯୋଡ଼ିଥିଲେ। ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଯୁଦ୍ଧ ପାଇଁ ଦରବୃଦ୍ଧି ହୋଇଛି ବୋଲି କହିଥିଲେ। କିନ୍ତୁ ସେ ସମୟରେ ଜଗତୀକରଣ ନଥିଲା ଏବଂ ଅର୍ଥନୀତି ଉପରେ କୋରିଆ ଯୁଦ୍ଧର କୌଣସି ପ୍ରଭାବ ନଥିଲା। ସେ କେବଳ ବାହାନା କରୁଥିଲେ। କିନ୍ତୁ ଆମ ଶାସନରେ ଦରବୃଦ୍ଧି ନିୟନ୍ତ୍ରଣରେ ଅଛି ବୋଲି ମୋଦୀ କହିଛନ୍ତି। ଇଣ୍ଡିଆ ମେଣ୍ଟର ନେତା ଫାରୁକ ଅବଦୁଲ୍ଲା ଏବଂ ମଣି ଶଙ୍କର ଆୟରଙ୍କ ଟିପ୍ପଣୀ ବିରୋଧରେ କଡ଼ା ଜବାବ ରଖି ମୋଦୀ କହିଛନ୍ତି, ପାକିସ୍ତାନରେ ଯଦି ଚୁଡ଼ି ନାହିଁ ତେବେ ଭାରତ ଚୁଡ଼ି ପିନ୍ଧାଇ ଦେବ।
ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାକାଲି ବାରାଣସୀ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ। ଆଜି ସନ୍ଧ୍ୟାରେ ସେଠାରେ ଏକ ବିଶାଳ ରୋଡ୍ସୋ କରିଛନ୍ତି। ମୋଦୀ ପ୍ରଥମେ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରୋଡ୍ସୋ କରିଥିଲେ।
Follow Us