Image Source: Hindustan Times
ନୂଆଦିଲ୍ଲୀ: ରବିବାର ସକାଳେ ରାଜଧାନୀର ରାଣୀ ଝାନ୍ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ଦୁଃଖଦାୟକ ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ସରକାର ଆଦେଶ ଦେଇଛନ୍ତି।
ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ କହିଛନ୍ତି: ଅତି ଦୁଃଖଦାୟକ ଘଟଣା। ଘଟଣାର ମାଜିଷ୍ଟରୀୟ ତଦନ୍ତ ପାଇଁ ମୁଁ ଆଦେଶ ଦେଇଛି। ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ। ଆହତମାନଙ୍କର ଡାକ୍ତରୀ ଖର୍ଚ୍ଚ ସରକାର ବହନ କରିବେ।
ପୀଡ଼ିତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ମୃତ ବୋଲି ଡାକ୍ତରମାନେ କହିଥିବା କଥା ପୁଲିସ କହୁଛି। ଅନେକ ଶବ ପୋଡ଼ି ଅଙ୍ଗାର ହୋଇଯାଇଥିବାରୁ ଚିହ୍ନଟ କରାଯାଇ ପାରୁନାହିଁ। ଅନ୍ୟ କେତେକ ଧୂଆଁରେ ରୁନ୍ଧି ହୋଇ ମରିଛନ୍ତି।
Image Source: Zee Newsଧୂଆଁରେ ରୁନ୍ଧି ହୋଇ ଅଣନିଶ୍ୱାଃସୀ ହୋଇଯିବାରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି ବୋଲି ଲୋକ ନାୟକ ହସ୍ପିଟାଲ୍ର ନିର୍ଦେଶକ କିଶୋର ସିଂହ କହିଛନ୍ତି।
ଭୋର୍ ୫ଟା ନିଆଁ ଲାଗିଥିବା ସେ ପାଞ୍ଚ ତାଲା ଘରେ ପ୍ରାୟ ୬୦/୭୦ ଜଣ ଲୋକ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଠିକା ଶ୍ରମିକ ଏବଂ କାରଖାନାର କର୍ମୀ।
ଦିଲ୍ଲୀର ରାଣୀ ଝାନ୍ସୀ ମାର୍ଗସ୍ଥିତ ଅନାଜ ମଣ୍ଡି ଅଗ୍ନକାଣ୍ଡ ଅତି ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି। ପ୍ରିୟତମଙ୍କୁ ହରାଇଥିବା ଲୋକମାନଙ୍କ ପ୍ରତି ମୋର ସମ୍ବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ହୁଅନ୍ତୁ ବୋଲି ଆଶା କରୁଛି। ବିୟୋଗାନ୍ତ ଘଟଣାସ୍ଥଳରେ ସରକାରୀ କର୍ତ୍ତୃପକ୍ଷମାନେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେଉଛନ୍ତି।
ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଜରୁରୀଭିତ୍ତିରେ ସବୁ ପ୍ରକାର ସମ୍ଭାବ୍ୟ ସହାଯ୍ୟ ଯୋଗାଇ ଦେବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
Follow Us