ମହାରାଷ୍ଟ୍ର ବୋର୍ଡ ପରୀକ୍ଷାରେ ୧୦ମ ପାସ୍‌ କଲେ ୪୩ ବର୍ଷିୟ ବାପା; ଫେଲ୍‌ ହେଲା ପୁଅ

ମା'ର ମୃତଦେହକୁ ଛାଡି ହୃଦୟକୁ ପଥର କରି ପରୀକ୍ଷା ଦେବାକୁ ଗଲା ଝିଅ

Image Courtesy of NDTV

ମୁମ୍ବାଇ: ଚଳିବ ବର୍ଷ ମହାରାଷ୍ଟ୍ର ବୋର୍ଡ ପରୀକ୍ଷାରେ ୧୦ମ ପରୀକ୍ଷା ଦେଇଥିବା ପୁଣେର ଜଣେ ୪୩ ବର୍ଷିୟ ବ୍ୟକ୍ତି ପାସ୍‌ କରିଥିବା ବେଳେ ତାଙ୍କ ପୁଅ ଫେଲ୍‌ ହୋଇଥିବା କଥା ଶୁକ୍ରବାର ଦିନ ‘ମହାରାଷ୍ଟ୍ର ଷ୍ଟେଟ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଆଣ୍ଡ୍‌ ହାୟର୍‌ ସେକେଣ୍ଡାରି ଏଡୁକେସନ୍‌’ଦ୍ବାରା ପ୍ରକାଶିତ ଫଳାଫଳରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ପରିବାର ପ୍ରତିପୋଷଣ ପାଇଁ ଭାସ୍କର ୱାଘ୍‌ମାରେ ନାମରେ ଜଣେ ବ୍ୟକ୍ତି ୭ମ ଶ୍ରେଣୀରୁ ପାଠ ଛାଡ଼ି କାମଧନ୍ଦା କରିଥିଲେ। କିନ୍ତୁ, ପାଠପଢ଼ା ପ୍ରତି ତାଙ୍କର ଆଗ୍ରହ ପୂର୍ବପରି ଅମଳିନ ଥିଲା। ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ସେ ନିଜ ପୁଅ ସହିତ ମିଶି ଚଳିତ ବର୍ଷ ୧୦ମ ଶ୍ରେଣୀ ଫାଇନାଲ୍‌ ପରୀକ୍ଷା ଦେଇଥିଲେ।

ସମ୍ପ୍ରତି ଏକ ଘରୋଇ ପ୍ରତିଷ୍ଠାନରେ କାର୍ଯ୍ୟରତ ଏବଂ ପୁଣେ ସହରର ବାବାସାହେବ ଅମ୍ବେଦକର୍‌ ଦିଆସ୍‌ ପ୍ଲଟ୍‌ରେ ବାସ କରୁଥିବା ଭାସ୍କର ଶନିବାର ସନ୍ଧ୍ୟାରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଅଧିକ ପଢ଼ିବା ପାଇଁ ମୋର ସବୁବେଳେ ଆଗ୍ରହ ଥିଲା। ପରିବାର ଦାୟିତ୍ବ ଓ ଚଳିବା ପାଇଁ ଉପାର୍ଜନ କରିବାକୁ ପଡ଼ିବାରୁ ଆଗରୁ ପଢ଼ାପଢ଼ି କରି ପାରିଲି ନାହିଁ।

publive-image Image Courtesy of DNA India

କିଛି ଦିନ ତଳେ ପୁଣି ପାଠ ପଢ଼ିବାକୁ ମନ ବ୍ୟାକୁଳ ହେଲା ଏବଂ ପଢ଼ିଲେ ଦୁଇ ପଇସା ଅଧିକ ଉପାର୍ଜନ କରିବି ବୋଲି ବିଚାରିଲି। ତେଣୁ, ୧୦ମ ପରୀକ୍ଷା ଦେବାକୁ ସ୍ଥିର କଲି। ଚଳିତ ବର୍ଷ ମୋ ପୁଅ ୧୦ମ ପରୀକ୍ଷା ଦେଉଥିଲା। ତାହା ମଧ୍ୟ ମତେ ଖୁବ୍‌ ସାହାଯ୍ୟ କଲା।

କାମରୁ ଫେରିବା ପରେ ଭାସ୍କର ସବୁଦିନ ପାଠ ପଢ଼ନ୍ତି ଓ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରନ୍ତି। ନିଜେ ପରୀକ୍ଷାରେ ପାସ୍‌ କରିଛନ୍ତି ବୋଲି ଖୁସି ହେଉଥିଲେ ବି, ଦୁଇଟି ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପୁଅ ପାଇଁ ସେ ମନଊଣା କରୁଛନ୍ତି।

ସେ କହିଛନ୍ତି, ପୁଅ ସାହିଲ୍‌କୁ ସପ୍ଲିମେଣ୍ଟାରି ପରୀକ୍ଷା ଦେବା ନିମନ୍ତେ ସାହାଯ୍ୟ କରିବି। ଆଶା ସେ ଏଥର ପାସ୍‌ କରିଯିବ।

ବାପା ପାସ୍‌ କରିଥିବାରୁ ପୁଅ ସାହିଲ୍‌ ମଧ୍ୟ ଆନନ୍ଦିତ। ସେ କହିଛି, ବାପା ଯାହା କରିବାକୁ ଚାହୁଁଥିଲେ ତାହା କରିଥିବାରୁ ମୁଁ ଆନନ୍ଦିତ। ମୁଁ ବି ଛାଡ଼ିବି ନାହିଁ। ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ପ୍ରସ୍ତୁତି କରି ପାସ୍‌ କରିବାକୁ ଚେଷ୍ଟା କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe