ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ୧ରୁ ଡିସେମ୍ବର ୧୪ ମଧ୍ୟରେ ୪୫ ଦିନରେ ଦେଶରେ ୪୬ ଲକ୍ଷରୁ ଅଧିକ ବାହାଘର ହେବ। ତାହା ବ୍ୟବସାୟୀମାନଙ୍କ ଲାଗି ସାଢ଼େ ୬ ଲକ୍ଷ କୋଟି ଟଙ୍କାର ବେପାର ସୁଯୋଗ ସୃଷ୍ଟି କରିବ ବୋଲି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ଆକଳନ କରାଯାଇଛି। ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ବିବାହ ସଂଖ୍ୟା ଗତବର୍ଷ ପାଖାପାଖି ସମାନ ରହିଛି। କିନ୍ତୁ ସୁନା ଓ ରୁପା ଦାମ୍ ବଢ଼ିବା ସହ ଲୋକମାନେ ଆଡ଼ମ୍ବରରେ ବାହାଘର କରିବାକୁ ଚାହୁଥିବାରୁ ଚଳିତ ବର୍ଷ ବାହାଘରରେ ଅଧିକ ଖର୍ଚ୍ଚ ହେବ। ବିବାହ କାର୍ଯ୍ୟକ୍ରମରୁ ସରକାରଙ୍କୁ ୭୦ ହଜାର କୋଟିର ରାଜସ୍ବ ମିଳିବ ବୋଲି ଆକଳନ କରାଯାଇଛି।
ବାହାଘରରେ ହେଉଥିବା ଖର୍ଚ୍ଚର ୧୦ ପ୍ରତିଶତ ଶାଢ଼ି, ୧୫ ପ୍ରତିଶତ ଗହଣା, ୫ ପ୍ରତିଶତ ଇଲେକ୍ଟ୍ରୋନିକ୍ସ ଜିନିଷ, ୫ ପ୍ରତିଶତ ଡ୍ରାଏ ଫ୍ରୁଟ୍ସ ଓ ମିଷ୍ଟାନ୍ନ, ୫ ପ୍ରତିଶତ ଗ୍ରୋସରି ଓ ପନିପରିବା, ୪ ପ୍ରତିଶତ ଉପହାର ସାମଗ୍ରୀ ଓ ୬ ପ୍ରତିଶତ ଅନ୍ୟାନ୍ୟ ଜିନିଷ ପାଇଁ ଖର୍ଚ୍ଚ ହେଉଛି। ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ୫ ପ୍ରତିଶତ, କ୍ୟାଟରିଂରେ ୧୦ ପ୍ରତିଶତ, ଫଟୋଗ୍ରାଫି ଓ ଭିଡିଓଗ୍ରାଫିରେ ୨ ପ୍ରତିଶତ, ଗମନାଗମନ ଓ ଆତିଥେୟତାରେ ୩ ପ୍ରତିଶତ, ଫୁଲ ସାଜସଜ୍ଜା ୪ ପ୍ରତିଶତ, ଗୀତ ସଙ୍ଗୀତ କାର୍ଯ୍ୟକ୍ରମରେ ୩ ପ୍ରତିଶତ ଏବଂ ଆଲୋକ ଓ ସାଉଣ୍ଡରେ ୩ ପ୍ରତିଶତ ରାଶି ଖର୍ଚ୍ଚ କରାଯାଉଛି।
୨୦୨୨ରେ ହୋଇଥିବା ୩୨ ଲକ୍ଷ ବାହାଘରରେ ୩.୭୫ ଲକ୍ଷ କୋଟି ଟଙ୍କା, ୨୦୨୩ରେ ହୋଇଥିବା ୩୮ ଲକ୍ଷ ବାହାଘରରେ ୪.୭୪ ଲକ୍ଷ କୋଟି ଟଙ୍କା ଓ ୨୦୨୪ରେ ହୋଇଥିବା ୪୮ ଲକ୍ଷ ବାହାଘରରେ ୫.୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଚଳିତ ବର୍ଷ ହେବାକୁ ଥିବା ବାହାଘରଗୁଡ଼ିକରେ ସ୍ବଦେଶୀ ଜିନିଷ ଅଧିକ ବ୍ୟବହାର ହେବ ବୋଲି ଶ୍ରୀ ଖଣ୍ଡେଲୱାଲ ଆକଳନ କରିଛନ୍ତି। ବାହାଘରରେ ଲାଗୁଥିବା ପ୍ରାୟ ୭୦ ପ୍ରତିଶତ ଜିନିଷ ସ୍ବଦେଶୀ ରହିବ। ପୋଷାକପତ୍ର, ଗହଣା, ସାଜସଜ୍ଜା ଓ କ୍ୟାଟରିଂ ଆଦିରେ ସ୍ବଦେଶୀକୁ ପସନ୍ଦ କରାଯାଉଛି। ସେଥିପାଇଁ ବିବାହ ଋତୁରେ ପାରମ୍ପରିକ କାରିଗର, ହସ୍ତକଳା କାରିଗର, ଗହଣା ଓ ପୋଷାକ ନିର୍ମାତାଙ୍କ ବରାଦ ବଢ଼ୁଛି। ଦେଶରେ ଡେଷ୍ଟିନେସନ୍ ୱେଡିଂର ଚାହିଦା ବଢ଼ିବାରେ ଲାଗିଛି। ଏଥିପାଇଁ ସବୁଠୁ ପସନ୍ଦର ସ୍ଥାନ ହେଉଛି ରାଜସ୍ଥାନ। ସେହିଭଳି ବାହାଘରରେ ୨୫-୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଡେଷ୍ଟିନେସନ୍ ୱେଡିଂ ପାଇଁ ଉଦୟପୁର, ଡେରାଡୁନ, ଗୋଆ, ୱାୟନାଡ଼, କୁର୍ଗ, ଋଷିକେଶ, ସୋଲାନ ଓ ସିଲଙ୍ଗ ଭଳି ସ୍ଥାନର ଚାହିଦା ରହିଛି।
Follow Us