ଚାରି ରାଜ୍ୟରେ ସଙ୍କଟ ଘନଉଛି:କର୍ଣ୍ଣାଟକରେ ଜଟିଳ ସ୍ଥିତି

ଇସ୍ତଫା ଦେବାକୁ ଅସନ୍ତୁଷ୍ଟ ବିଧାୟକ ତୟାର:ସ୍ଥିତି ନିୟନ୍ତ୍ରଣ ପାଇଁ ଗୁଲାମନବୀ, ବେଣୁଗୋପାଳ ବେଙ୍ଗାଲୁରୁରେ

ଚାରି ରାଜ୍ୟରେ ସଙ୍କଟ ଘନଉଛି:କର୍ଣ୍ଣାଟକରେ ଜଟିଳ ସ୍ଥିତି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଜାତୀୟ ଦଳ କଂଗ୍ରେସ ସମେତ ବିଭିନ୍ନ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ପରାଜୟ ପରେ ଏବେ ଦଳୀୟ ସ୍ଥିତି ବିଗିଡ଼ି ଯାଇଛି। ବିଭିନ୍ନ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହେବାରେ ଲାଗିଛି। କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ପ୍ରତି ବିପଦ ବଢ଼ୁଥିବା ବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସରକାର ଭାଙ୍ଗିଯିବା ସ୍ଥିତିରେ ରହିଛି। ଏହା ସହିତ ପଶ୍ଚିମବଂଗରେ ଟିଏମ୍‌ସି ମଧ୍ୟ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ଅସନ୍ତୁଷ୍ଟ ବିଧାୟକମାନେ ଦଳ ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି। ଏଭଳି ସ୍ଥିତିରେ ସରକାର ରକ୍ଷା କରିବା ଏବେ ଏକ ବଡ଼ ଚ୍ୟାଲେଂଜ ପାଲଟିଛି।

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଏବେ ରାଜନୈତିକ ସଙ୍କଟ ଘନୀଭୂତ ହୋଇଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟର ପ୍ରାୟ ୬ ଜଣ ଅସନ୍ତୁଷ୍ଟ ବିଧାୟକମାନେ ଯେ କୌଣସି ସମୟରେ ଇସ୍ତଫା ଦେବାକୁ ତୟାର ରହିଛନ୍ତି। ରାଜ୍ୟରେ ୨୮ ଲୋକସଭା ଆସନରୁ ବିଜେପି ୨୫ଟିରେ ବିଜୟ ହାସଲ କରିବା ପରେ ମେଣ୍ଟର ସରକାର ବିରୋଧରେ ଅସନ୍ତୁଷ୍ଟ ବିଧାୟକମାନେ ପୁଣି ମେଳି ବାନ୍ଧିଛନ୍ତି। ନିକଟରେ ଦୁଇଜଣ କଂଗ୍ରେସ ବିଧାୟକ ବିଜେପି ‌ନେତାଙ୍କୁ ଭେଟିବା ପରେ ଏବେ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛି। ଆଉ ୩ ଜଣ କଂଗ୍ରେସ ବିଧାୟକ ଦଳ ବିରୋଧରେ ବିଷୋଦ୍‌ଗାର ଜାରି ରଖିଥିବାରୁ ସେମାନେ ଯଦି ଇସ୍ତଫା ଦେବେ ତା’ହେଲେ ସରକାର ପ୍ରତି ବିପଦ ବଢ଼ିଯିବ। ବରିଷ୍ଠ କଂଗ୍ରେସ ନେତା କେଏନ୍‌ ରାଜନ୍ ଦାବି କରିଛନ୍ତି ଯେ ଜୁନ୍‌ ୧୦ ପ‌ରେ କର୍ଣ୍ଣାଟକ ସରକାର ଭାଙ୍ଗିଯିବା ସୁନିଶ୍ଚିତ। ସେ‌ପଟେ ବିଜେପି ମଧ୍ୟ ଏହାର ‘ଅପରେସନ୍‌ ଲୋଟସ୍‌’ କାର୍ଯ୍ୟକ୍ରମକୁ ସକ୍ରିୟ କରିବା ପାଇଁ ତୟାର ହେଉଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟରେ ଫାଟ ବଢ଼ୁଥିବା ଏବଂ କଂଗ୍ରେସ ନେତାମାନେ ଖୋଲାଖୋଲି ମେଣ୍ଟକୁ ବିରୋଧ କରିବା ଯୋଗୁଁ ଅଡ଼ୁଆ ବଢ଼ୁଛି। ଏଭଳି ଜଟିଳ ସ୍ଥିତି‌ରେ ସରକାରକୁ ସୁରକ୍ଷା ଦେବାପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ ଆଜି ଅସନ୍ତୁଷ୍ଟ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା ମଧ୍ୟ ଅସନ୍ତୁଷ୍ଟ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏଥିରୁ କିଛି ସୁଫଳ ମିଳୁନଥିବାରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି।
କଂଗ୍ରେସ-ଜେଡିଏସ୍‌ ମେଣ୍ଟ‌ରେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ୍‌ନବୀ ଆଜାଦ୍ ଏବଂ କେସି ବେଣୁଗୋପାଳ। ପ୍ରାୟ ୭ ଜଣ ବିଧାୟକ ଜେଡିଏସ୍‌ ନେତା କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହେବାକୁ ଲଗାତାର ବିରୋଧ କରି ଆସିଛନ୍ତି। ଆଜାଦ ଏବଂ ବେଣୁଗୋପାଳ ସମସ୍ତ ନେତାଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe