Image Courtesy of India Today
ବୁଏନସ୍ ଏୟାର୍ସ (ଆର୍ଜେଣ୍ଟିନା): ଜାତିଆଣ ମାମଲାରେ ଜଣେ ନାବାଳକକୁ ହତ୍ୟା କରିବା ଅଭିଯୋଗରେ ଆର୍ଜେଣ୍ଟିନା ରଗ୍ବି ଦଳର ୫ ଜଣ ଖେଳାଳିଙ୍କୁ ସ୍ଥାନୀୟ ଏକ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହି ଅଭିଯୁକ୍ତମାନେ ହେଲେ ମାକ୍ସିମୋ ଥମସନ୍, ମାତିଆସ୍ ବେନିସେଲି, ଏଞ୍ଜୋ କମେଲି, ସିରୋ ପେର୍ତୋସି ଓ ଲୁସିଆନୋ ପେର୍ତୋସି। ସେହିପରି ଅନ୍ୟ ୩ ଅଭିଯୁକ୍ତ ଅର୍ଟନ ଭିଓଲାଜ୍, ବ୍ଲାସ୍ ସିନାଲି ଓ ଲୁକାସ ପର୍ତୋସି ହତ୍ୟାରେ ସହଯୋଗ କରିଥିବାରୁ ଏମାନଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଦିଆଯାଇଛି।
ସୂଚନା ଅନୁଯାୟୀ, ପାରାଗୁଏ ପ୍ରବାସୀ ଫର୍ଣ୍ଣାଡୋ ବାଇଜ୍ ସୋସା ନାମକ ଜଣେ ଆଇନ୍ ଛାତ୍ରଙ୍କୁ ତିନିବର୍ଷ ପୂର୍ବେ ଏକ ଡିସ୍କୋ ବାହାରେ ହତ୍ୟା କରାଯାଇଥିଲା। ଡୋଲୋରେସ୍ ସ୍ଥିତ ଉକ୍ତ କୋର୍ଟରେ ଏହି ମାମଲାର ଶୁଣାଣି ୪ ସପ୍ତାହ ଧରି ଚାଲିଥିଲା। ୨୧ରୁ ୨୩ ବର୍ଷ ବୟସ ମଧ୍ୟରେ ୮ ଜଣ ଅଭିଯୁକ୍ତ ୨୦୨୦ ଜାନୁଆରି ୧୮ ତାରିଖରେ ସମୂଦ୍ରକୂଳ ପାଖ ରିସୋର୍ଟ ଭିଲା ଗେସେଲ୍ର ଡିସ୍କୋ ବାହାରେ ବାଇଜ୍ଙ୍କୁ ହତ୍ୟ କରିଥିଲେ। ନାଇଟ୍କ୍ଲବ୍ ଭିତରେ ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତେଣୁ ଏହି ଝଗଡ଼ାରେ ସଂପୃକ୍ତ ସମସ୍ତଙ୍କୁ ଡିସ୍କୋ ବାହାରକୁ ବାହାର କରିଦିଆଯାଇଥିଲା। କିନ୍ତୁ ମାମଲା ଏତିକିରେ ଥମିନଥିଲା। ରାସ୍ତା ଉପରେ ବି ଝଗଡ଼ା ଲାଗି ରହିବାରୁ ଅଭିଯୁକ୍ତମାନେ ବାଇଜ୍ଙ୍କୁ ତାଙ୍କ ସାଙ୍ଗମାନଙ୍କଠୁ ଅଲଗା କରିଦେବା ପରେ ନିସ୍ତୁକ ମାଡ଼ ମାରିବାରୁ ଗୁରୁତର ଆହତ ହୋଇ ଶେଷରେ ସେ ଆଖି ବୁଜିଥିଲେ।
Follow Us