Image Courtesy of Asianet News
ମୟିଲାଡଡୁତୁରୈ (ତାମିଲନାଡୁ): ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କାରଣରୁ ଜଣେ ସ୍ପେସାଲ୍ ଆସିଷ୍ଟାଣ୍ଟ୍ ଇନ୍ସ୍ପେକ୍ଟର୍ଙ୍କ ସମେତ ୫ଜଣ ପୁଲିସ କର୍ମଚାରୀଙ୍କର ବଦଳି ହୋଇଥିବା କଥା ଆଜି ପୁଲିସ ଅଧିକାରୀମାନେ କହିଛନ୍ତି।
ଆୟୋଜିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ରାମ୍ପ୍ରେ ଉକ୍ତ ପୁଲିସ କର୍ମଚାରୀମାନେ ଚାଲିଥିବା କଥା ଜଣାପଡ଼ିବା ପରେ ନାଗାପଟ୍ଟିନମ୍ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସେମାନଙ୍କୁ ବଦଳି କରିବା ଲାଗି ଆଦେଶ ଦେଇଛନ୍ତି।
ସଂଗୃହୀତ ପ୍ରାଥମିକ ସୂଚନା ଅନୁସାରେ, ଗତ ରବିବାର ଦିନ ମୟିଲାଡଡୁତୁରୈ ଜିଲ୍ଲା ଅନ୍ତର୍ଗତ ସେମ୍ବାନାର୍କୋୱିଲ୍ରେ ଏକ ଘରୋଇ ସଂଗଠନ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜନ କରିଥିଲା। ଏଥିରେ ସ୍ବତନ୍ତ୍ର ଅତିଥି ରୂପେ ଆମନ୍ତ୍ରିତା ଅଭିନେତ୍ରୀ ୟାଶିକା ଆନନ୍ଦ ପ୍ରତିଯୋଗିତା ଉଦ୍ଘାଟନ କରିଥିଲେ। ତା’ପର ଦିନ ଏ ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା।
Image Courtesy of Oneindiaକେତେକ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପ୍ରତିଯୋଗିନୀମାନେ ବାଧ୍ୟ କରିବାରୁ ସୁରକ୍ଷା ଦେବାକୁ ଆସିଥିବା ମହିଳା ପୁଲିସ କର୍ମଚାରୀମାନେ ଅଭିନେତା ବିଜୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ତେରି’ ଗୀତର ତାଳେ ତାଳେ ରାମ୍ପ୍ରେ ଚାଲିଥିଲେ।
ମୟିଲାଡଡୁତୁରୈରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଆୟୋଜନ କରିଥିବାରୁ ଜନସାଧାରଣ ଆୟୋଜକମାନଙ୍କୁ ପ୍ରଶଂସା କରିଥିବା ବେଳେ ସୁରକ୍ଷା ଦେବା ପାଇଁ ଆସିଥିବା ପୁଲିସ କର୍ମଚାରୀମାନଙ୍କ ରାମ୍ପ୍ରେ ଚାଲିବା କଥାକୁ ସମାଲୋଚନା କରିଛନ୍ତି।
ଏଥିରେ ଅଂଶ ଗ୍ରହଣ କରିଥିବା ସ୍ବତନ୍ତ୍ର ସହକାରୀ ପୁଲିସ ଇନ୍ସ୍ପେକ୍ଟର୍ ସୁବ୍ରମଣିୟାନ୍, ରେଣୁକା, ଅଶ୍ବିନୀ, ନିତ୍ୟଶୀଳା ଏବଂ ଶିବନେସନଙ୍କୁ ବଦଳି କରିବା ଲାଗି ନାଗାପଟ୍ଟନମ୍ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଆଦେଶନାମା ଜାରି କରିଛନ୍ତି। ସମ୍ପ୍ରତି ସ୍ବତନ୍ତ୍ର ସହକାରୀ ପୁଲିସ ଇନ୍ସ୍ପେକ୍ଟର୍ ସୁବ୍ରମଣିୟାନ୍ ସେମ୍ବାନାର୍କୋୱିଲ୍ ଥାନାରେ କାର୍ଯ୍ୟ କରୁଛନ୍ତି।
Follow Us