ବ୍ୟାଙ୍କ ଜମା ଉପରେ ବୀମା ୫ ଲକ୍ଷ, ବ୍ୟାଙ୍କ ବୁଡ଼ିଲେ କିମ୍ବା କଟକଣା ଲାଗିଲେ ୯୦ ଦିନ ଭିତରେ ମିଳିବ ବୀମା ରାଶି

Advertisment
ବ୍ୟାଙ୍କ ଜମା ଉପରେ ବୀମା ୫ ଲକ୍ଷ, ବ୍ୟାଙ୍କ ବୁଡ଼ିଲେ କିମ୍ବା କଟକଣା ଲାଗିଲେ ୯୦ ଦିନ ଭିତରେ ମିଳିବ ବୀମା ରାଶି

livemint.com

ନୂଆଦିଲ୍ଲୀ : ଟଙ୍କା ଜମା ରଖିଥିବା ବ୍ୟାଙ୍କ ଯଦି କୌଣସି କାରଣରୁ ବୁଡ଼ିଯିବ କିମ୍ବା ତାହା ଉପରେ କଟକଣା ଲଗାଯିବ ତେବେ ଗ୍ରାହକଙ୍କୁ ଚିନ୍ତା କରିବାକୁ ପଡ଼ିବନି। ସେମାନେ ୯୦ ଦିନ ଭିତରେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଫେରିପାରିବେ। ଜମା ବୀମା ସ୍କିମ୍‌ ଅଧୀନରେ ଗ୍ରାହକଙ୍କୁ ସେହି ଟଙ୍କା ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ଶାଖା ସଂସ୍ଥା ‘ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ଆଣ୍ଡ୍‌ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି) ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରିବ। ୯୦ ଦିନ ଅବଧିକୁ ୪୫-୪୫ ଦିନରେ ଦୁଇ ଭାଗରେ ବିଭକ୍ତ କରାଯାଇଛି। କୌଣସି ବ୍ୟାଙ୍କ ଉପରେ କଟକଣା ଜାରି ହେବା ପରେ କେତେ ଗ୍ରାହକ କେତେ ଟଙ୍କା ଉଠାଇବା ଲାଗି ଦାବି ଉପସ୍ଥାପନ କରିଛନ୍ତି ସେହି ସବୁ ତଥ୍ୟ ସଂଗ୍ରହ କରି ବ୍ୟାଙ୍କ ଡିଆଇସିଜିସିକୁ ପ୍ରଥମ ୪୫ ଦିନ ଭିତରେ ଜଣାଇବ। ପରବର୍ତ୍ତୀ ୪୫ ଦିନରେ ସେହି ସମସ୍ତ ଦାବିର ପ୍ରକ୍ରିୟାକରଣ କରି ଡିଆଇସିଜିସି ଗ୍ରାହକଙ୍କୁ ସେମାନଙ୍କ ଟଙ୍କା ଫେରାଇବ।

ବ୍ୟାଙ୍କ ଜମା ଉପରେ ବୀମା ରାଶିକୁ ପାଞ୍ଚ ଗୁଣା ବୃଦ୍ଧି କରି ୫ ଲକ୍ଷ ଟଙ୍କା କରାଯାଇଛି। ବ୍ୟାଙ୍କ ବୁଡ଼ିଯିବା ଭଳି ସ୍ଥିତିରେ ଗ୍ରାହକମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ପାଇପାରିବେ। ପୂର୍ବରୁ ବୀମା ରାଶି ପରିମାଣ ୧ ଲକ୍ଷ ଟଙ୍କା ଥିଲା। ତାହାକୁ ଏବେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ପିଏମ୍‌ସି ବ୍ୟାଙ୍କ ଭଳି ସଙ୍କଟକୁ ନଜରରେ ରଖି ସରକାର ଜମା ରାଶି ଉପରେ ଗତବର୍ଷ ବୀମା ରାଶି ପାଞ୍ଚ ଗୁଣା ବୃଦ୍ଧି କରିଥିଲେ। ବ୍ୟାଙ୍କରେ ଗ୍ରାହକମାନେ ଯେତେ ଟଙ୍କା ଜମା ରଖିଥାଆନ୍ତୁ ନା ନାହିଁ ଯଦି କୌଣସି ସମୟରେ ସେହି ବ୍ୟାଙ୍କ ବନ୍ଦ ଭଳି ଅବସ୍ଥାରେ ପହଞ୍ଚିବ ତେବେ ଗ୍ରାହକମାନଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ଫେରସ୍ତ ମିଳିବ। ଏ‌ଥିପାଇଁ ଜମା ବୀମା ଓ କ୍ରେଡିଟ୍ ଗ୍ୟାରେଣ୍ଟି ନିଗମ (ଡିଆଇସିଜିସି) ନିୟମ, ୧୯୬୧ରେ ସଂଶୋଧନ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସଂଶୋଧନ ବିଷୟରେ ବଜେଟ୍‌ରେ ଘୋଷଣା କରିଥିଲେ। ଯେହେତୁ କ୍ୟାବିନେଟ୍‌ରେ ଏହି ପ୍ରସ୍ତାବ ଗୃହୀତ ହୋଇଛି ତେଣୁ ସଂସଦର ଚଳିତ ମୌସୁମୀ ଅଧିବେଶନର ଯେକୌଣସି ସମୟରେ ଏହି ବିଲ୍‌କୁ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଥରେ ଏହି ବିଲ୍ ଆଇନରେ ପରିଣତ ହେଲେ ଗ୍ରାହକମାନଙ୍କୁ ବଡ଼ ଧରଣର ଆଶ୍ବସ୍ତି ମିଳିବ। ପିଏମ୍‌ସି ବ୍ୟାଙ୍କ ଓ ଅନେକ ଛୋଟ ସମବାୟ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକଙ୍କୁ ଆଉ ଜମା ରାଶି ବୁଡ଼ିଯିବାର ଚିନ୍ତା କରିବାକୁ ପଡ଼ିବ ନାହିଁ। ଗ୍ରାହକମାନଙ୍କୁ ସେତେବେଳେ ବୀମା ରାଶି ମିଳିବ ଯେତେବେଳେ ବ୍ୟାଙ୍କର ଲାଇସେନ୍ସ ବାତିଲ ହେବ ଏବଂ ତାହାକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରାଯିବ।

ଆଜି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଜମା ବୀମା ସ୍କିମ୍ ଅଧୀନରେ ଦେଶର ୯୮.୩ ପ୍ରତିଶତ ଖାତା ରହିଛି। ବ୍ୟାଙ୍କରେ ଥିବା ୫୦.୯% ଜମା ରାଶିର ବୀମା ରହିଥିବା ସେ କହିଛନ୍ତି। ସବୁ ପ୍ରକାର ବ୍ୟାଙ୍କର ଜମାକୁ ଏହି ସ୍କିମ୍‌ରେ ସାମିଲ କରାଯାଇଛି। ପୂର୍ବରୁ ଅନେକ ସମବାୟ ବ୍ୟାଙ୍କ ଏହି ସ୍କିମ୍‌ ବାହାରେ ଥିଲେ। ୨୦୨୦ରେ ସରକାର ବ୍ୟାଙ୍କିଙ୍ଗ୍‌ ନିୟମରେ ସଂଶୋଧନ କରି ସମବାୟ ବ୍ୟାଙ୍କଗୁଡ଼ିକୁ ଏହି ସ୍କିମ୍‌ରେ ସାମିଲ କରିଛନ୍ତି। ସମବାୟ ବ୍ୟାଙ୍କଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ଣ୍ଣ ନିୟନ୍ତ୍ରଣରେ ରହିବେ। ଜମାରାଶିର ବୀମା ପାଇଁ ବ୍ୟାଙ୍କଗୁଡ଼ିକ ଦେଉଥିବା ପ୍ରିମିୟମ୍‌ରେ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରତି ୧୦୦ ଟଙ୍କା ଜମା ରାଶିର ବୀମା ଲାଗି ବ୍ୟାଙ୍କଗୁଡ଼ିକ ୧୦ ପଇସା ପ୍ରିମିୟମ୍ ଦେଉଥିଲେ। ସେହି ରାଶିକୁ ୧୨ ପଇସାକୁ ବୃଦ୍ଧି କରାଯାଇଛି। ବୀମା ରାଶି ପରିମାଣ ୧ ଲକ୍ଷରୁ ପାଞ୍ଚ ଗୁଣା ବୃଦ୍ଧି ପାଇ ୫ ଲକ୍ଷ ଟଙ୍କା ହୋଇଥିବା ବେଳେ ବୀମା ପ୍ରିମିୟମ୍‌ରେ ମାତ୍ର ୨୦% ବୃଦ୍ଧି କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe