ପିଲାଚୋର ସନ୍ଦେହରେ ୫ ଜଣଙ୍କୁ ହତ୍ୟା ୧୫ ଗିରଫ

Advertisment
ପିଲାଚୋର ସନ୍ଦେହରେ ୫ ଜଣଙ୍କୁ ହତ୍ୟା ୧୫ ଗିରଫ

ମୁମ୍ବାଇ: ସମ୍ପ୍ରତି ପିଲାଚୋରି ଗୁଜବକୁ ନେଇ ଦେଶବ୍ୟପୀ ହଇଚଇ ସୃଷ୍ଟି ହୋଇଥିବା ବେଳେ ମହାରାଷ୍ଟ୍ର ବି ଏଥିରୁ ବାଦ୍‌ ପଡ଼ିନାହିଁ। ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ପିଲାଚୋରି ଗୁଜବର କୁପରିଣତି ସ୍ୱରୂପ ରବିବାର ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ଗ୍ରାମବାସୀମାନେ ପିଲାଚୋର ସନ୍ଦେହରେ ଏକାଥରକେ ୫ ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାରେ ୧୫ ଜଣଙ୍କୁ ପୁଲିସ ଗିରଫ କରିଛି ଏବଂ ୩୦ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଲିସର ସୂଚନା ମୁତାବକ ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୧୪୦ କିଲୋମିଟର ଦୂର ଆଦିବାସୀ ଅଞ୍ଚଳ ରାଇଁପଡ଼ାରେ ଏକ ବସ୍‌ରୁ କିଛି ଅଜଣା ଲୋକ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ଏହି ୫ ଜଣ ଥିଲେ। ସେମାନଙ୍କ ଚାଲିଚଳଣ ସନ୍ଦେହଜନକ ଥିବା ଅଭିଯୋଗ କରି କିଛି ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ପିଛା କରିଥିଲେ । ସେମାନେ ଯେତେବେଳେ ଏକ ଛୋଟ ପିଲା ସହିତ କଥା ହେବାକୁ ବାରମ୍ବାର ଉଦ୍ୟମ କରିଥିଲେ, ଲୋକେ ସେମାନଙ୍କୁ ପିଲାଚୋର ବୋଲି ଧରିନେଇ ଅଟକାଇ ଥିଲେ। ନିମିଷକ ମଧ୍ୟରେ ପରିସ୍ଥିତି ବଦଳି ଯାଇଥିଲା। ସନ୍ଦିଗ୍ଧମାନଙ୍କୁ ପିଲାଚୋର ବୋଲି ଘୋଷଣା କରି ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ ଏବଂ ପିଟି ପିଟି ଲହୁଲୁହାଣ କରିଦେଇଥିଲେ । ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ସନ୍ଦିଗ୍ଧଙ୍କ ମଧ୍ୟରେ ୭ ଜଣ ଥିଲେ। କିନ୍ତୁ ଗ୍ରାମବାସୀଙ୍କ ସାମୂହିକ ଆକ୍ରମଣ ସମୟରେ ଦୁଇଜଣ ଖସି ଯିବାକୁ ସକ୍ଷମ ହୋଇଥିଲେ। ତେବେ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ମୃତଦେହଗୁଡ଼ିକୁ ସ୍ଥାନୀୟ ପିମ୍ପଲନର୍‌ ଡାକ୍ତରଖାନାକୁ ପଠାଇଥିଲ। ହତ୍ୟାର ଶିକାର ହୋଇଥିବା ଲୋକମାନେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରୁ ଆସିଥିବା ଜଣାଯାଇଛି। କିନ୍ତୁ ସେମାନେ ଧୁଲେ ଜିଲ୍ଲାକୁ କ’ଣ ପାଇଁ ଆସିଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ଧରି ସ୍ଥାନୀୟ ଅଞ୍ଚଳରେ ପିଲାଚୋରି ଗୁଜବକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ସୋସିଆଲ୍‌ ମିଡିଆ ଜରିଆରେ ଏହି ଗୁଜବ ବ୍ୟାପିଥିବାରୁ ଆଜି ସୁଦ୍ଧା ୩୫ ଜଣ ହତ୍ୟାର ଶିକାର ହେଲେଣି।

ଉତ୍ତରପ୍ରଦେଶ, ତ୍ରିପୁରା, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ଏହି ଗୁଜବ ୨୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଗୌହାଟୀରେ ପୁଣି ଜଣେ ମହିଳାଙ୍କୁ ଲୋକେ ପିଲାଚୋରି ସନ୍ଦେହରେ ଘାତକ ଆକ୍ରମଣ କରିଥିଲେ। କିନ୍ତୁ ମହିଳା ଅଳ୍ପକେ ବର୍ତ୍ତିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe