ଅମ୍ବାଲାରେ ଅବତରଣ କଲା ଆକାଶର ଅପ୍ରତିଦ୍ବନ୍ଦ୍ବୀ ଯୋଦ୍ଧା ରାଫେଲ୍ ; ୫ ଅତ୍ୟାଧୁନିକ ଲଢ଼ୁଆ ବିମାନକୁ ସ୍ବାଗତ କଲା ଭାରତ

Advertisment
ଅମ୍ବାଲାରେ ଅବତରଣ କଲା ଆକାଶର ଅପ୍ରତିଦ୍ବନ୍ଦ୍ବୀ ଯୋଦ୍ଧା ରାଫେଲ୍ ; ୫ ଅତ୍ୟାଧୁନିକ ଲଢ଼ୁଆ ବିମାନକୁ  ସ୍ବାଗତ କଲା ଭାରତ

ନୂଆଦିଲ୍ଲୀ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ମାଟି ଛୁଇଁଛି ରାଫେଲ୍।  ଫ୍ରାନ୍ସ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ‌ଲଢୁଆ ଜେଟ୍  ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି ବିମାନଗୁଡ଼ିକୁ ସ୍ବାଗତ କରିଛନ୍ତି।  ଆଜି ସକାଳେ ୟୁନାଇଟେଡ୍ ଆରବ ‌ଏମିରେଟ୍‌ସ୍‌ରୁ ଉଡାଣ କରିଥିବା ୫ଟି ରାଫେଲ୍ କିଛି ସମୟ ପୂର୍ବରୁ ଭାରତୀୟ ଆକାଶ ସୀମାରେ ପ୍ରବେଶ କରିଥିଲା। ଏହାପରେ ଦୁଇଟି ସୁ‌ଖୋଇ ଯୁଦ୍ଧବିମାନ ରାଫେଲଗୁଡ଼ିକୁ ପାଇଲଟ କରି ଅମ୍ବାଲା ଏୟାରବେସକୁ ଆଣିଥିଲା। ଏହା ଫଳରେ ର‌ାଫେଲର ୭୦୦୦ କିଲୋମିଟରର ଯାତ୍ରା ଶେଷ ହୋଇଛି।

ଆଜି ଅପରାହ୍ଣରେ ଭାରତର ବାୟୁସୀମାରେ ପ୍ରବେଶ କରିବା ପରେ ପଶ୍ଚିମ ଆରବ ସାଗରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ଯୁଦ୍ଧପୋତଗୁଡ଼ିକ ତରଫରୁ ପାଞ୍ଚଟି ରା‌ଫେଲ୍ ଜେଟ୍‌କୁ ସ୍ବାଗତ କରାଯାଇଥିଲା। ରାଫେଲ୍ ଜେଟ୍‌ର ପାଇଲଟଙ୍କୁ  ବେତାର ବାର୍ତ୍ତା ପ୍ରେରଣ କରି ଆଇଏନ୍‌ଏସ୍‌ କୋଲ୍‌କାତା କହିଥିଲା, ‘ସଗୌରବ ଆକାଶ ସ୍ପର୍ଶ କର। ଶୁଭାବତରଣ।’ ଏହାର ପ୍ରତ୍ୟୁତ୍ତର ଦେଇ ରାଫେଲ୍ ପାଇଲଟ୍ କହିଥିଲେ, ‘ଭାରତୀୟ ନୌସେନା ଯୁଦ୍ଧପୋତ ପାଇଁ ଅନୁକୂଳ ପବନ ପ୍ରବାହ ହେଉ।’

ଇତିମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟୁଇଟ୍ କରି ରାଫେଲକୁ ସ୍ବାଗତ କରିଛନ୍ତି। ସେ ଲେଖିଛନ୍ତି, ପକ୍ଷୀମାନେ ଭାରତୀୟ ଆକାଶସୀମାରେ ପ୍ରବେଶ କରି ସାରିଲେଣି..ଶୁଭ ଅବତରଣ କାମନା କରୁଛି।

publive-image

ସୋମବାର ଦିନ ଏହି ପାଞ୍ଚଟି ଜେଟ୍ ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରି ଗତକାଲି ସ୍ବଳ୍ପ ସମୟ ଲାଗି ୟୁନାଇଟେଡ୍ ଆରବ ‌ଏମିରେଟସ‌ରେ ରହିଥିଲା। ଏଥିପୂର୍ବରୁ ମଝିଆକାଶରେ ଏଥିରେ ଇନ୍ଧନ ଭର୍ତ୍ତି ହୋଇଥିଲା।

୩୬ଟି ରାଫେଲ୍  ଜେଟ୍‌ ଖରିଦ କରିବା ଲାଗି ଚାରିବର୍ଷ ତଳେ, ୨୦୧୬ ସେପ୍ଟେମ୍ବର ୨୩ ତାରିଖରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ୫୯୦୦୦ କୋଟି ଟଙ୍କାର ରାଜିନାମା ହୋଇଥିଲା।

ଚିଫ୍ ଅଫ୍ ଏୟାର୍ ଷ୍ଟାଫ୍ ଆର୍‌କେଏସ୍ ଭଦୌରିଆ ଅମ୍ବାଲାରେ ଏହି ପାଞ୍ଚଟି ବିମାନ ଗ୍ରହଣ କରିଛନ୍ତି  ଏବଂ ରାଫେଲ୍ ଫାଇଟର ଜେଟ୍ ଭାରତୀୟ ବାୟୁସେନାରେ ସାମିଲ ହୋଇଛି।

ଏଥିପାଇଁ ଧୁଲକୋଟ, ବଳଦେବ ନଗର, ଗର୍ଣ୍ଣାଲା ଏବଂ ପଞ୍ଚଖେରା ସମେତ ଅମ୍ବାଲା ବିମାନଘାଟି ଅଞ୍ଚଳକୁ ଲାଗିଥିବା ଗାଁମାନଙ୍କରେ ୧୪୪ ଧାରା ଜାରି କରାଯାଇଛି। ବିମାନଘାଟି ନିକଟରେ ବ୍ୟକ୍ତିଗତ ଡ୍ରୋନ୍ ଉଡ଼ାଇବା କିଂବା ଫଟୋ ଓ ଭିଡିଓ ଉତ୍ତୋଳନ  ନ କରିବାକୁ ସ୍ଥାନୀୟ ଲୋକମାନଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe