ନାଗରିକତା ଆଇନ : କେନ୍ଦ୍ର-ରାଜ୍ୟ ମୁହାଁମୁହିଁ, ଲାଗୁ କରିବାକୁ ମନାକଲେ ୫ ରାଜ୍ୟ

କେନ୍ଦ୍ରୀୟ ଆଇନକୁ ରାଜ୍ୟ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ: ଗୃହ ମନ୍ତ୍ରାଳୟ

ନାଗରିକତା ଆଇନ : କେନ୍ଦ୍ର-ରାଜ୍ୟ ମୁହାଁମୁହିଁ, ଲାଗୁ କରିବାକୁ ମନାକଲେ ୫ ରାଜ୍ୟ

India TV

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଲ୍‌କୁ ବିରୋଧ କରି ଦେଶର କେତେକ ସ୍ଥାନରେ ହିଂସା, ଉତ୍ତେଜନା ଓ ଅଶାନ୍ତ ବାତାବରଣ ଲାଗି ରହିଥିବାବେଳେ ଏବେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସଂସଦର ଉଭୟ ଗୃହରେ ଏହି ବିଲ୍ ଗୃହୀତ ହେବା ସହ ରାଷ୍ଟ୍ରପତିଙ୍କ ମଂଜୁରି ମିଳିବା ପରେ ଏହା ଆଇନରେ ପରିଣତ ହୋଇଛି। ତେବେ ଏହି ଆଇନକୁ ଲାଗୁ କରିବେ ନାହିଁ ବୋଲି ଆଜି ୫ଟି ରାଜ୍ୟ ସରକାରଙ୍କ ଘୋଷଣା ଆଗକୁ ମାମଲାକୁ ଅଧିକ ଜଟିଳ କରିବ ବୋଲି ଆଶଙ୍କା କରାଯାଉଛି।

ପଶ୍ଚିମବଙ୍ଗ, କେରଳ, ପଞ୍ଜାବ, ମେଘାଳୟ ଏବଂ ଛତିଶଗଡ଼ ସରକାର କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନ-୨୦୧୯କୁ ଲାଗୁ କରିବେ ନାହିଁ ବୋଲି ଘୋଷଣା କରିବାରୁ ଏକ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଗଣମାଧ୍ୟମରେ ଏଭଳି ବୟାନ ଦେବା ପରେ ଗୃହ ମନ୍ତ୍ରାଳୟ ସଂପୃକ୍ତ ରାଜ୍ୟମାନଙ୍କୁ ଏ ବାବଦରେ ତାଗିଦ୍‌ କରିଦେଇଛି। କେନ୍ଦ୍ର ସରକାରଙ୍କ ଆଇନକୁ ସମସ୍ତ ରାଜ୍ୟ ଲାଗୁ କରିବାକୁ ବାଧ୍ୟ ଏବଂ ସେମାନେ ଏହାକୁ ଟାଳିଦେଇ ପାରିବେ ନାହିଁ ବୋଲି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ସମ୍ବିଧାନର ସପ୍ତମ ଅନୁସୂଚୀରେ ଥିବା ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ରେଳବାଇ, ନାଗରିକତା ଆଦି ୯୭ଟି ପ୍ରସଙ୍ଗରେ କେନ୍ଦ୍ରୀୟ ଆଇନକୁ ଉଲ୍ଲଂଘନ କରିବା ଅଧିକାର ରାଜ୍ୟମାନଙ୍କର ନାହିଁ ବୋଲି ସ୍ପଷ୍ଟ କରିଦିଆ ଯାଇଛି। କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏ ବାବଦରେ ବିଜ୍ଞପ୍ତି ଜାରି କରିବା ପରେ ନୂତନ ଆଇନକୁ ଏହି ସାମ୍ବିଧାନିକ ବ୍ୟବସ୍ଥାକୁ ରାଜ୍ୟମାନେ ଉଲ୍ଲଂଘନ କରିପାରିବେ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ ନାଗରିକତା ସଂଶୋଧନ ଆଇନ ଅନୁସାରେ ଡିସେମ୍ବର ୩୧, ୨୦୧୪ ପର୍ଯ୍ୟନ୍ତ ଭାରତ ଆସିଥିବା ସମସ୍ତ ଅଣ ମୁସ୍‌ଲିମ୍‌ ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିବ। ତେବେ ଏହି ‌ଆଇନକୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ସର୍ବାଧିକ ବିରୋଧ କରି ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଆସାମ, ମେଘାଳୟ, ତ୍ରିପୁରା‌ ଭଳି ରାଜ୍ୟରେ ଜୋର୍‌ଦାର ଆନ୍ଦୋଳନ ଚାଲିଛି । ତେବେ ଦେଶର ଅନ୍ୟ ଅଂଚଳରେ ସ୍ଥିତି ସ୍ବାଭାବିକ ରହିଛି। ଅଧିକାଂଶ ରାଜ୍ୟ ସରକାର ଏହାକୁ ସମର୍ଥନ ଓ ସ୍ବାଗତ କରିଥିବାବେଳେ ୫ଟି ରାଜ୍ୟ ଖୋଲାଖୋଲି ବିରୋଧ କରିଛନ୍ତି। ପଶ୍ଚିମବଙ୍ଗ, କେରଳ, ଛତିଶଗଡ଼ ଏବଂ ପଞ୍ଜାବ ସରକାର ନାଗରିକତା ସଂଶୋଧନ ବିଲ୍‌କୁ ଆରମ୍ଭରୁ ବିରୋଧ କରି ଆସୁଥିଲେ। ଯଦି କୌଣସି ରାଜ୍ୟ ସିଏବିକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ କରିବେ, ତାହେଲେ କୋର୍ଟ ଏହି ମାମଲାରେ କେବଳ ଆଇନର ସମୀକ୍ଷା କରିବ, କିନ୍ତୁ ରାଜ୍ୟମାନଙ୍କୁ ଏହା ଲାଗୁ ନ କରିବାର ସ୍ବାଧୀନତା ଦେଇପାରିବ ନାହିଁ ବୋଲି ପୂର୍ବତନ ଲୋକସଭା ମହାସଚିବ ତଥା ସମ୍ବିଧାନ ବିଶେଷଜ୍ଞ ପିଟିଡି ଆଚାର୍ଯ୍ୟ କହିଛନ୍ତି। ଆଇନର ସାମ୍ବିଧାନିକ ବୈଧତା ନେଇ କୋର୍ଟ ପ୍ରଶ୍ନ କରିପାରିବେ ନାହିଁ ଏବଂ ରାଜ୍ୟମାନେ ଏହି ଆଇନକୁ ସଂପୂର୍ଣ୍ଣ ପାଳନ କରିବାକୁ ବାଧ୍ୟ ବୋଲି ଶ୍ରୀ ଆଚାର୍ଯ୍ୟ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe