ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଏହି ଲକ୍ଡାଉନ୍ ପାଇଁ ପାଖାପାଖି ୨ମାସ ଧରି ସମସ୍ତ ବିମାନ ସେବା ବନ୍ଦ ରହିଥିଲା। ସୋମବାର ଅର୍ଥାତ ଆଜିଠାରୁ ବିମାନ ସେବା ପୁଣିଥରେ ଆରମ୍ଭ ହୋଇଛି।
କର୍ଣ୍ଣାଟକର ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୁଇଟି ବିମାନ ଅବତରଣ କରିଥିଲା। ଏହି ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଦିଲ୍ଲୀରୁ ଆସିଥିଲା। ଦିଲ୍ଲୀରୁ ଆସିଥିବା ବିମାନରେ ଜଣେ ୫ବର୍ଷ ଶିଶୁ ଏକାକି ଯାତ୍ରା କରିଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ବ୍ରିହାନ୍ ଶର୍ମାଙ୍କ ମା’ ମଞ୍ଜରୀ ଶର୍ମାଙ୍କ କହିବାନୁସାରେ, ଲକ୍ଡାଉନ୍ ପୂର୍ବରୁ ବ୍ରିହାନ୍ ତାର ଜେଜେ ଓ ଜେଜେ ମା’ଙ୍କ ପାଖରେ ରହିଥିଲା। ତେବେ ଲକ୍ଡାଉନ୍ ଜାରି ହେବା ପରେ ସେ ଆସି ନ ପାରି ୨ ମାସ ହେବ ଦିଲ୍ଲୀରେ ହିଁ ଫସି ଯାଇଥିଲା।
India Todayବିମାନ ସେବା ଆରମ୍ଭ ହେବା ପରେ କିଛି ଉପାୟ ନ ପାଇ ୫ବର୍ଷ ବୟସର ବ୍ରିହାନ୍ ଦିଲ୍ଲୀରୁ ବେଙ୍ଗାଲୁରୁ ଏକାକି ବିମାନ ଯାତ୍ରା କରିଥିଲା। ବିମାନ ବନ୍ଦରରେ ଓହ୍ଲାଇବା ପରେ ବିମାନ କମ୍ପାନିର ସଦସ୍ୟ ବ୍ରିହାନ୍ଙ୍କୁ ସୁରକ୍ଷିତ ଭାବେ ତାଙ୍କ ମା’ଙ୍କ ପାଖରେ ପହଞ୍ଚାଇ ଦେଇଥିଲେ। କିନ୍ତୁ କରୋନା ଭୟରେ ସଚେତନାକୁ ଦୃଷ୍ଟି ଦେଇ ଏତେ ଦିନ ପରେ ବି ମା’ ପୁଅକୁ ଦେଖିଥିଲେ ହେଁ କୋଳେଇ ପାରି ନ ଥିଲେ।
ଉଲ୍ଲେଖଯୋଗ୍ୟ, ବିମାନ ସେବା ଆରମ୍ଭ ହେବା ପରେ କର୍ଣ୍ଣାଟକର ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ଅଧିକାରୀମାନେ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି। ଯାତ୍ରୀଙ୍କ ପାଇଁ ଅଲଗା କାଉଣ୍ଟର ସହ ପ୍ରତି ସିଟ ମଧ୍ୟରେ ଦୂରତା ରଖାଯାଇଛି । ସୋମବାରଠାରୁ ବେଙ୍ଗାଲୁରୁର ଏହି ବିମାନବନ୍ଦରରୁ ୨୧୫ଟି ବିମାନ ଚଳାଚଳ କରିବ।
ସେହିପରି ସୋମବାରଠାରୁ ଦିଲ୍ଲୀ ବିମାନବନ୍ଦରକୁ ପ୍ରାୟ ୩୮୦ଟି ବିମାନ ଚଳାଚଳ କରିବ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁସ୍ଥ ଏବଂ ନିରାପଦ ବିମାନ ଯାତ୍ରାକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱୟଂଚାଳିତ ହ୍ୟାଣ୍ଡ ସାନିଟାଇଜର ମେସିନ୍, ଫ୍ଲୋର୍ ମାର୍କର ସମେତ ବିମାନ ବନ୍ଦରରେ ଚେକ୍ ଇନ୍ ଭଳି ସ୍ଥାନଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଅନେକ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି।
Follow Us