ଜବତ ହେଲାଣି ୫୦ କୋଟି: ଗଣିବାକୁ ଲାଗିଲା ୧୦ ଘଣ୍ଟା, ପାଇଖାନାରେ ପଡ଼ିଥିଲା ସୁନା ପେଟି

Advertisment

ଅର୍ପିତାଙ୍କ ଦ୍ବିତୀୟ ଫ୍ଲାଟ୍‌ରୁ ମିଳିଲା ୨୮ କୋଟି ନଗଦ ଟଙ୍କା ଓ ୫ କେଜି ସୁନା

ଅର୍ପିତାଙ୍କ ଦ୍ବିତୀୟ ଫ୍ଲାଟ୍‌ରୁ ମିଳିଲା ୨୮ କୋଟି ନଗଦ ଟଙ୍କା ଓ ୫ କେଜି ସୁନା

ଜବତ ହେଲାଣି ୫୦ କୋଟି: ଗଣିବାକୁ ଲାଗିଲା ୧୦ ଘଣ୍ଟା, ପାଇଖାନାରେ ପଡ଼ିଥିଲା ସୁନା ପେଟି

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ବହିଷ୍କୃତ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରହିଛି। ବେଲଘରିଆ-ସ୍ଥିତ ଆଉ ଏକ ଫ୍ଲାଟ୍‌ରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀମାନେ ଗତରାତିରେ ୨୮ କୋଟି ଟଙ୍କାର ନଗଦ ରାଶି ସହ ୫ କେଜି ସୁନା ଓ ବିପୁଳ ରୁପା ଜବତ କରିଛନ୍ତି। ଚାରିଦିନ ତଳେ ତାଙ୍କର ଟୋଲିଗଞ୍ଜ ଫ୍ଲାଟ୍‌ରୁ ୨୧.୯ କୋଟି ନଗଦ ଟଙ୍କା ଓ ସୁନା ଆଦି ଜବତ କରାଯାଇଥିଲା। ଇଡି ଚଢ଼ଉରେ ଏତେ ପରିମାଣରେ ଟଙ୍କା ଓ ସୁନା ଜବତ ଘଟଣା ପ୍ରଥମ।

ଅର୍ପିତାଙ୍କ ବେଲଘରିଆ ଫ୍ଲାଟ୍‌ ଉପରେ ଇଡିର ୧୩ ଘଣ୍ଟିଆ ଚଢ଼ଉ ଗୁରୁବାର ଭୋର ସାଢ଼େ ୫ଟାରେ ଶେଷ ହୋଇଛି। କେବଳ ଟଙ୍କା ଗଣିବାକୁ ୧୦ ଘଣ୍ଟା ଲାଗିଥିଲା। ନଗଦ ଟଙ୍କା ଓ ସୁନା ଛଡ଼ା ସେଠାରୁ ଅନେକ ସମ୍ପତ୍ତି କାଗଜପତ୍ର ମଧ୍ୟ ଜବତ ହୋଇଛି। ୧୦ଟି ଲୁହା ବାକ୍ସ (ଆଇରନ ଚେଷ୍ଟ)ରେ ଜବତ ଟଙ୍କା, ସୁନା ଆଦି ନିଆଯାଇଥିଲା। ଅର୍ପିତାଙ୍କ ପୂର୍ବ ଫ୍ଲାଟ୍‌ରେ ଚଢ଼ଉ ସମ୍ପର୍କରେ ଇଡି ଅଧିକାରୀମାନେ କହିଛନ୍ତି ଯେ ସେମାନେ ଯେପରି ‘ଆଲିବାବାଙ୍କ ଲୁହା ସିନ୍ଦୁକ’ରୁ ଟଙ୍କା, ସୁନା ଆଦି ବାହାର କରିବା ପରି ଲାଗିଲା। ବୁଧବାର ସେମାନେ ଷ୍ଟେଟ୍ ବ୍ୟାଙ୍କରୁ ୪ଟି ଟଙ୍କା ଗଣିବା ମେସିନ ଆଣି ରାତିସାରା ଟଙ୍କା ଗଣିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ତଥାପି ଟଙ୍କା ଗଣା ସରି ନ ଥିଲା। କ୍ଲବ୍ ଟାଉନ୍ ଆପାର୍ଟମେଣ୍ଟର ୮ମ ମହଲାରେ ଆଲମାରି ଓ କାନ୍ଥ ଆଲମାରିଗୁଡ଼ିକରେ ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍ ଭର୍ତ୍ତି ହୋଇ ରହିଥିଲା। ବନ୍ଦ ଥିବା ଏକ ପାଇଖାନାରେ ସୁନା ଅଳଙ୍କାର ଥିବା ପେଟି ପଡ଼ିଥିଲା। ଇଡି ଅଧିକାରୀମାନେ ମଧ୍ୟାହ୍ନରେ ହାଉସିଂ ଆସୋସିଏସନ ସେକ୍ରେଟେରିଙ୍କ ଉପସ୍ଥିତିରେ ତାଲାଭାଙ୍ଗି ଘରେ ପଶିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଗିରଫ ହେବାର ତିନିଦିନ ପୂର୍ବରୁ ଅର୍ପିତା ଉକ୍ତ ଘରକୁ ଯାଇଥିଲେ। ଜେରା ବେଳେ ଅର୍ପିତା ଓ ପାର୍ଥଙ୍କଠାରୁ ସୂଚନା ପାଇ ବୁଧବାର ଚାରିଟି ଭିନ୍ନ ଭିନ୍ନ ଠିକଣାକୁ ଇଡି ଅଧିକାରୀମାନେ ଯାଇଥିଲେ। ବେଲଘରିଆ-ସ୍ଥିତ ଅର୍ପିତାଙ୍କ ପୁରୁଣା ଘରକୁ ବି ସେମାନେ ଯାଇଥିଲେ। ତାଙ୍କ ମାଆ ମିନତି ମୁଖାର୍ଜୀ ପ୍ରଥମେ ବାଧା ଦେଇଥିଲେ, ପରେ ଇଡି ଅଧିକାରୀମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇଥିଲେ।

ଏଣେ ଚଢ଼ଉ ଚାଲିଥିବା ବେଳେ ଇଡି ଅଧିକାରୀମାନେ ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ୧୪ ଘଣ୍ଟା ଜେରା କରିଥିଲେ। ତାଙ୍କ ଯାଦବପୁର ସ୍ଥିତ ଘରୁ ଜବତ ହୋଇଥିବା ୪ଟି ସିଡି ବିଷୟରେ ସେମାନେ ପଚରାଉଚରା କରିଥିଲେ। ଏହି ସିଡିଗୁଡ଼ିକରେ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ଲାଗି ୨୬୯ ଜଣଙ୍କ ନାମ ଥିଲା। ଅଧିକାରୀମାନେ ଚାଟାର୍ଜୀଙ୍କ ନାକତଳା ବାସଭବନରୁ ପାଇଥିବା ଟିଇଟି, ୨୦୧୨ ନିଯୁକ୍ତି ତାଲିକା ସହ ଏହାକୁ ମିଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe