Advertisment

54 thousand crores fraud: ‘ଡିଜିଟାଲ୍‌ ଆରେଷ୍ଟ୍‌’: ୫୪ ହଜାର କୋଟି ଠକେଇ, ସୁପ୍ରିମକୋର୍ଟ କ୍ଷୁବ୍ଧ, ଡକାୟତିଠାରୁ କିଛି କମ୍‌ ନୁହେଁ

Advertisment

ଡିଜିଟାଲ୍‌ ଆରେଷ୍ଟ୍‌ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇବା ଘଟଣା ଡକାୟତିଠାରୁ କିଛି କମ୍ ନୁହେଁ। ଏଭଳି ଅପରାଧକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ....

ଡିଜିଟାଲ୍‌ ଆରେଷ୍ଟ୍‌ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇବା ଘଟଣା ଡକାୟତିଠାରୁ କିଛି କମ୍ ନୁହେଁ। ଏଭଳି ଅପରାଧକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ....

supreme court

ନୂଆଦିଲ୍ଲୀ: ଡିଜିଟାଲ୍‌ ଆରେଷ୍ଟ୍‌ ଜରିଆରେ ପୀଡ଼ିତମାନେ ୫୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହରାଇବା ଘଟଣା ଡକାୟତିଠାରୁ କିଛି କମ୍ ନୁହେଁ। ଏଭଳି ଅପରାଧକୁ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ଦୂର ସଂଚାର ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କ ପରାମର୍ଶରେ ଏକ ଏସ୍‌ଓପି ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଜଷ୍ଟିସ୍‌ ଏନ୍‌ଭି ଅଞ୍ଜରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଡିଜିଟାଲ୍‌ ଆରେଷ୍ଟ୍‌ରେ ଯେତିକି ଅର୍ଥ ପୀଡ଼ିତମାନେ ହରାଇଛନ୍ତି ତାହା କେତେକ ଛୋଟ ରାଜ୍ୟର ବଜେଟ୍‌ର ଆକାରଠାରୁ ମଧ୍ୟ ଅଧିକ। ବ୍ୟାଙ୍କ ଅଧିକାରୀମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ କିମ୍ବା ସେମାନଙ୍କ ଅସାବଧାନତାରୁ ଏପରି ହେଉଥାଇପାରେ। ରିଜର୍ଭ ବ୍ୟାଙ୍କ ଓ ବ୍ୟାଙ୍କଗୁଡ଼ିକ ଏ ନେଇ  ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। 

ଏଥିସହିତ ସୁପ୍ରିମକୋର୍ଟ କେତେକ ନୂଆ ନିର୍ଦ୍ଦେଶନାମା ମଧ୍ୟ ଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଟେଲିକମ୍‌ ବିଭାଗ ଦ୍ବାରା ପ୍ରସ୍ତୁତ ଏସ୍‌ଓପିଗୁଡ଼ିକୁ ବିଚାର କରି ଏଭଳି ଅପରାଧର କଡ଼ା ମୁକାବିଲା ପାଇଁ ‌ଏକ ଚିଠା ‌ଏମ୍‌ଓୟୁ ୪ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରି ଆସିବା ଲାଗି ଗୃହ ମନ୍ତ୍ରାଳୟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଥିଲେ ଯେ ପୂର୍ବରୁ ରିଜର୍ଭ ବ୍ୟାଙ୍କ ଏ ନେଇ ଏକ ଏସ୍‌ଓପି ପ୍ରସ୍ତୁତ କରିଛନ୍ତି। ଏଥିରେ ସାଇବର ଠକେଇକୁ ରୋକିବା ଲାଗି ସାମୟିକ ଭାବେ ଡେବିଟ୍‌ କାର୍ଡକୁ ବ୍ଲକ୍‌ କରିବା ବ୍ୟବସ୍ଥା ରହିଛି। ତେଣୁ ରିଜର୍ଭ ବ୍ୟାଙ୍କର ଏସ୍‌ଓପିକୁ ଅନୁଧ୍ୟାନ କରିବା ପାଇଁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ଡିଜିଟାଲ୍‌ ଆରେଷ୍ଟ୍‌ ମାମଲାଗୁଡ଼ିକୁ ଚିହ୍ନଟ କରିବା ଲାଗି ସୁପ୍ରିମକୋର୍ଟ ସିବିଆଇକୁ ମଧ୍ୟ ନି‌ର୍ଦ୍ଦେଶ ଦେଇଛନ୍ତି। ଏସବୁ ମାମଲାର ତଦନ୍ତ ଅନୁମତି ସିବିଆଇକୁ ଦେବାଲାଗି ସୁପ୍ରିମକୋର୍ଟ ଗୁଜରାଟ ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

‘୪ ସପ୍ତାହ ଭିତରେ ଅପରାଧ ମୁକାବିଲା ପଦ୍ଧତି ଜଣାଅ’

ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ, ଟେଲିକମ୍‌ ବିଭାଗ ଏବଂ ଅନ୍ୟ ଅଂଶୀଦାରମାନେ ଏକ ମିଳିତ ବୈଠକ କରି ଡିଜିଟାଲ ଆରେଷ୍ଟ୍‌ ପୀଡ଼ିତମାନଙ୍କୁ କ୍ଷତିପୂରଣ ଦେବାର ଢାଞ୍ଚା ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁଥିବା ଏକ ଉଦାର କ୍ଷତିପୂରଣ ବ୍ୟବସ୍ଥାର ଆବଶ୍ୟକତା ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ପୂର୍ବରୁ କର୍ତ୍ତୃପକ୍ଷ ନୂଆ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। 

ଗତବର୍ଷ ଡିସେମ୍ବର ୧୬ ତାରିଖରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଥିଲେ। ଆମିକସ କ୍ୟୁରି ବା ନ୍ୟାୟ ମିତ୍ରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା କ୍ଷତିପୂରଣ ପ୍ରଦାନ ପରାମର୍ଶକୁ ବିଚାର କରିବା ପାଇଁ କେନ୍ଦ୍ର ସକରାରଙ୍କୁ କହିଥିଲେ। ସାଇବର ଅପରାଧୀମାନେ ଦେଶରୁ ବିପୁଳ ଅର୍ଥ ସାଇବର ଅପରାଧ ଜରିଆରେ ନେଇଯାଇଥିବା ଜାଣି ଚିନ୍ତା ପ୍ରକଟ କରିଥିଲେ। ସେହିଭଳି ଗତବର୍ଷ ଡିସେମ୍ବର ୧ ତାରିଖରେ ସୁପ୍ରିମକୋର୍ଟ ସର୍ବଭାରତୀୟ ସ୍ତରରେ ଏକୀକୃତ ତଦନ୍ତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ‌ଏଥିସହ ଏଭଳି ଅପରାଧ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଠାବ କରିବା ଏବଂ ଅଚଳ କରିବା ଲାଗି କୃତ୍ରିମ ବୁଦ୍ଧିବତ୍ତା(ଏଆଇ)ର ବ୍ୟବହାର କାହିଁକି କରାଯାଉ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe