war updates Photograph: (sambad.in)
ତେହେରାନ/ୱାସିଂଟନ/ତେଲ୍ଅଭିଭ୍: ମଧ୍ୟପ୍ରାଚ୍ୟ ଯୁଦ୍ଧ ଅତି ଭୟଙ୍କର ରୂପ ନେଇଛି। ଇରାନ ଏହାର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ଯାଜନା କରୁଛି। ଖେମିନିଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ଏହା ଦୃଢ଼ ସଂକଳ୍ପ ନେଇଛି। ଏଥିପାଇଁ ଇରାନ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଫିସ୍ ସମେତ ଇସ୍ରାଏଲର ଅନେକ ସରକାରୀ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାନର ଆଇଆର୍ଜିସି (ଇସଲାମିକ ରିଭେଲ୍ୟୁସନାରି ଗାର୍ଡ କର୍ପସ) ଶନିବାର କହିଛି ଯେ, ଏହା ତେଲ୍ ଅଭିଭ୍ରେ ବେଞ୍ଜାମିନ ନେତାନ୍ୟାହୁଙ୍କ ଅଫିସ୍ ଏବଂ ହାଇଫାରେ ସୁରକ୍ଷା ଓ ସାମରିକ କେନ୍ଦ୍ର ତଥା ପୂର୍ବ ଜେରୁଜେଲମ୍ରେ ଟାର୍ଗେଟ୍ ଆକ୍ରମଣ କରିଛି। ଇରାନର ବାୟୁସେନା କମାଣ୍ଡର୍ ମୁଖ୍ୟାଳୟକୁ ମଧ୍ୟ ଟାର୍ଗେଟ୍ କରାଯାଇଛି ବୋଲି ଇରାନ ଦାବି କରିଛି।
ଅନ୍ୟପକ୍ଷେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) କହିଛି ଯେ, ଇରାନ ପଟୁ ଇସ୍ରାଏଲକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ବେଳେ ଏହାକୁ ଖସାଇ ଦିଆଯାଇଛି ଏବଂ ତେହେରାନରେ ଏହା ପୁଣିଥରେ ସଦ୍ୟ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ ଆଜି ଦକ୍ଷିଣ ତେହେରାନର ଗାନ୍ଧୀ ହସ୍ପିଟାଲ୍ ଉପରେ ଆକ୍ରମଣ କରିଛି। ହସ୍ପିଟାଲରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାର ଭିଡିଓ ଜାରି କରାଯାଇଛି। କିନ୍ତୁ ଏହି ଘଟଣାରେ କେତେ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଇରାନର କୂଟନୈତିକ ପୁଲିସ କେନ୍ଦ୍ର ଉପରେ ମଧ୍ୟ ଏହା ଆକ୍ରମଣ କରିଥିବା ଦାବି କରିଛି। ତେବେ ଶନିବାରଠାରୁ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣରେ ଇରାନରେ ୫୫୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ଇସ୍ରାଏଲରେ ଇରାନ ଆକ୍ରମଣରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଛି।
ଇରାନ-ସମର୍ଥିତ ହେଜବୁଲ୍ଲା ଆଜି ଲେବାନନ୍ରୁ ଇସ୍ରାଏଲ ଉପରେ ରକେଟ୍ ଓ ଡ୍ରୋନ୍ ଆକ୍ରମଣ କରିଥିବାବେଳେ ଇସ୍ରାଏଲ ବେରୁତ୍ର ଦକ୍ଷିଣ ସହରତଳି ଅଞ୍ଚଳ ଓ ଦକ୍ଷିଣ ଲେବାନନ୍ରେ ଆକ୍ରମଣ କରିଛି। ଏଥିରେ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଖେମିନିଙ୍କ ମୃତ୍ୟୁ ପରେ ଇରାନ ରକ୍ତମୁଖା ହୋଇପଡ଼ିଛି। ଏହା ଆମେରିକା ସହ କୌଣସି ପ୍ରକାର ବୁଝାମଣା କରିବନି ବୋଲି ସ୍ପଷ୍ଟ କରିଦେଇଛି। ଇରାନର ଜଣେ ବରିଷ୍ଠ ଅଫିସର ଅଲି ଲରିଜନି କହିଛନ୍ତି, ଆମେରିକା ସହ କୌଣସି ପ୍ରକାର ବୁଝାମଣା ହେବନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର କଥାବାର୍ତ୍ତା ପାଇଁ ସଙ୍କେତ ଦେଇଥିଲେ ମଧ୍ୟ ଇରାନ ମନା କରିଦେଇଛି।
ଏହି ସଂଘର୍ଷ ଏବେ ବୈଶ୍ବିକ ଶକ୍ତି ବଜାରକୁ ପ୍ରଭାବିତ କଲାଣି। ଇରାନର ଏକ ଡ୍ରୋନ୍ ସାଉଦି ଆରବର ରାସ ତନୁରା ବିଶୋଧନାଗାରରେ ମାଡ଼ ହେବା ଫଳରେ ଏଠାରେ ଅସ୍ଥାୟୀ ଭାବେ କାର୍ଯ୍ୟ ବନ୍ଦ ରହିଛି। ଅନ୍ୟପକ୍ଷେ ଓମାନରେ ଏକ ତୈଳ ଟ୍ୟାଙ୍କର୍ ସହ ଏକ ଡ୍ରୋନ୍ ବୋଟ୍ ମାଡ଼ ହେବା ଫଳରେ ନିଆଁ ଲାଗିଯାଇଛି ଏବଂ ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଛି। ଇତି ମଧ୍ୟରେ ଇରାନ ବିରୋଧରେ ଜାରି ରହିଥିବା ଅପରେସନ୍ରେ ଭାଗ ନେଇଥିବା ୩ ଆମେରିକୀୟ ଲଢ଼ୁଆ ବିମାନକୁ ଆଜି କୁଏତୀ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ବାରା ଖସାଇ ଦିଆଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏନେଇ ସ୍ପଷ୍ଟ କରିଛି ଏବଂ ୩ଟି ଏଫ୍-୧୫ ଯୁଦ୍ଧ ବିମାନରୁ ୬ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ବାହାରିଯାଇଥିବା କହିଛି।
Follow Us