ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି। ସରକାରଙ୍କ ସୂଚନା ମୁତାବକ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୪ରେ ପହଞ୍ଚିଛି। କରୋନା ବିଶ୍ବ ମହାମାରୀରେ ଏ ପର୍ଯ୍ୟନ୍ତ ଭାରତରେ ୧୬୬ ଜଣ ପ୍ରାଣ ହରାଇଥିବା ବେଳେ ୪୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଏବେ ୨୧ ଦିନିଆ ଲକ୍ଡାଉନ୍ ଜାରି ରହିଛି ଏବଂ କଡ଼ା କଟକଣା ଭିତରେ ବି ସବୁ ଅଂଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପ୍ରାୟ ସବୁ ପ୍ରମୁଖ ରାଜ୍ୟ ଲକ୍ଡାଉନ୍ ବଢ଼ାଇବା ସପକ୍ଷରେ ଯୁକ୍ତି ରଖିଛନ୍ତି। ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢ଼ୁଥିବାରୁ କଟକଣା ଆହୁରି କଠୋର ହୋଇଛି ଏବଂ ବିଭିନ୍ନ ଅଂଚଳ ସିଲ୍ କରି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ରୋଟାରି କ୍ଲବ୍ର ୨ ଶହ ସଦସ୍ୟଙ୍କ ସହିତ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି।
ଆଜି ପଂଜାବର ଜବାହରପୁର ଗ୍ରାମ କରୋନାର ହଟ୍ଟସ୍ପଟ୍ ପାଲଟି ଯାଇଛି। ଏହି ଗ୍ରାମରେ ଅଚାନକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯିବା ସହ ଏହା ୨୧ରେ ପହଞ୍ଚିଯାଇଛି। ପ୍ରଶାସନ ପକ୍ଷରୁ ଗ୍ରାମକୁ ସିଲ କରାଯାଇ ରୋଗ ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଖଣ୍ଡୱାରେ ମଧ୍ୟ ଆଜି ୪ ଜଣ କରୋନା ପଜଟିଭ୍ ଚିହ୍ନଟ ହେବା ପରେ ବିଭିନ୍ନ ଅଂଚଳ ସିଲ୍ କରାଯାଇଛି । ତେଲେଙ୍ଗାନାରେ ଜମାତୀଙ୍କ ପାଇଁ କରୋନା ଦ୍ରୁତ ଗତିରେ ବ୍ୟାପୁଛି। ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୪୨୭ରେ ପହଞ୍ଚିଯାଇଛି।
Follow Us