ଭୋପାଳ: ମଧ୍ୟପ୍ରଦେଶର ଆଗର ମାଲଓ୍ଵା ଜିଲ୍ଲାର ଗୋଶାଳାରେ ଗତ୨୮ ଦିନରେ ୫୮ ଗୋରୁଙ୍କ ମୃତ୍ୟୁ ହୋଇଛି। ଜିଲ୍ଲା ପ୍ରଶାସନ ଏକ ୩ଜଣିଆ କମିଟି ଗଠନ କରି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଗାଈଙ୍କୁ ଦିଆଯାଉଥିବା ଗୋଖାଦ୍ୟକୁ ଭୋପାଳସ୍ଥିତ ପରୀକ୍ଷାଗାରକୁ ପଠାଯାଇଛି। ବିଷାକ୍ତ ଗୋଖାଦ୍ୟ ଯୋଗୁଁ ଏପରି ଗୋମଡ଼କ ହୋଇଥାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି। ଡିସେମ୍ବର ୧ରୁ ୨୮ ତାରିଖ ମଧ୍ୟରେ ଏହି ମୃତ୍ୟୁ ହୋଇଥିବା ବେଳେ ଏବେ ବି କିଛି ଗାଈ ଅସୁସ୍ଥ ଥିବା ଜଣାପଡ଼ିଛି। ପ୍ରତ୍ୟେକ ମୃତ ଗାଈର ଶବ ବ୍ୟବଚ୍ଛେଦ କରାଯାଇ ଏହାର ରିପୋର୍ଟ ପ୍ରଶାସନ ନିକଟରେ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଅଧିକାରୀ ଏଥିପାଇଁ ଦାୟୀ ଥିବା ଜଣାପଡ଼ିଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମିଳିଥିବା ଖବର ମୁତାବକ, ୬ହଜାର ଗାଈଙ୍କ ପାଇଁ ରହିବା ବ୍ୟବସ୍ଥା ଥିବା ଏହି ଗୋଶାଳାରେ ଏବେ ଆଉ ୪ ହଜାର ୩ଶହ ଗାଈ ଅଛନ୍ତି।
ମଧ୍ୟପ୍ରଦେଶ ଗୋଶାଳାରେ ଗୋମଡ଼କ: ୪ ସପ୍ତାହରେ ୫୮ ଗାଈ ମୃତ
Advertisment
Follow Us