The Indian Express
ଚେନ୍ନାଇ : ତାମିଲନାଡ଼ୁର କୁଡାଲୋର ଜିଲ୍ଲା ସ୍ଥିତ ନେଭେଲିରେ ଆଜି ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ରେ ବଏଲର ବିସ୍ଫୋରଣ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଆହତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏହି ଥର୍ମାଲ୍ ପାୱାର ଷ୍ଟେସନ୍ର ପଞ୍ଚମ ୟୁନିଟ୍ରେ ଆଜି ସକାଳ ପ୍ରାୟ ୯.୫୫ ସମୟରେ ଏହି ବିସ୍ଫୋରଣ ହୋଇଥିଲା। ତେବେ ବିସ୍ଫୋରଣର କାରଣ ଜଣାପଡ଼ିନି। ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଅନ୍ୟ ୧୭ ଜଣ ଆହତଙ୍କୁ ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ୧୭ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କ ଶରୀର ପ୍ରାୟ ୪୦ ପ୍ରତିଶତ ପୋଡ଼ି ଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀଙ୍କ ସହ କଥା ହୋଇଛନ୍ତି। ତେବେ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଯେଉଁମାନେ ଅତ୍ୟନ୍ତ ଗୁରୁତର ହୋଇଛନ୍ତି ସେମାନଙ୍କୁ ୧ ଲକ୍ଷ ଏବଂ ଯେଉଁମାନେ ସାମାନ୍ୟ ଆହତ ହୋଇଛନ୍ତି ସେମାନଙ୍କ ପାଇଁ ୫୦ ହଜାର ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଚଳିତ ମାସ ମେ’ ୭ ତାରିଖରେ ଏହି ପାୱାର ପ୍ଲାଣ୍ଟ୍ର ଷଷ୍ଠ ବିଭାଗରେ ବଏଲର ବିସ୍ଫୋରଣ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ଆହତ ହୋଇଥିଲେ। ଗତ ୧୮ ମାସ ମଧ୍ୟରେ ଉକ୍ତ ଥର୍ମାଲ୍ ପାୱାର ପ୍ଲାଣ୍ଟ୍ରେ ୫ ଥର ଦୁର୍ଘଟଣା ହୋଇଛି।
Follow Us