Image Courtesy of Deccan Herald
ହାଇଦ୍ରାବାଦ: ଗୁରୁବାର ସନ୍ଧ୍ୟା ବେଳେ ସିକନ୍ଦରାବାଦସ୍ଥିତ ଏକ ବ୍ୟାବସାୟିକ ବହୁତଳ ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଜଣ ମହିଳାଙ୍କ ସମେତ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ତଦନ୍ତ ପରେ ସେମାନଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିଯିବ, କିନ୍ତୁ ଧୂଆଁରେ ରୁନ୍ଧି ହୋଇ ଅଣନିଃଶ୍ବାସୀ ହୋଇଯିବା କାରଣରୁ ସେମାନଙ୍କର ମୃତ୍ୟୁ ଘଟିଥାଇ ପାରେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ନିଆଁକୁ ଆୟତ୍ତ କରାଯାଇଛି ଓ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ପୁଲିସକୁ ମିଳିଥିବା କଥା ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଭିନ୍ନ ଡାକ୍ତରଖାନାରେ ୧୨ଜଣ ବ୍ୟକ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ଗୋଟିଏ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୬ଜଣଙ୍କର ମୃତ୍ୟୁ ଘଟିଛି। ବାକି ବ୍ୟକ୍ତିମାନଙ୍କର ଚିକିତ୍ସା ଚାଲିଛି।
Image Courtesy of India Todayମୃତ ବ୍ୟକ୍ତିମାନେ ହେଉଛନ୍ତି ତେଲେଙ୍ଗାନା ଅନ୍ତର୍ଗତ ୱାରାଙ୍ଗାଲ୍ ଓ ଖମ୍ମାମ୍ ଜିଲ୍ଲାବାସୀ। ଉକ୍ତ ଅଟ୍ଟାଳିକାରେ କାର୍ଯ୍ୟାଳୟ ଖୋଲିଥିବା ଏକ ମାର୍କେଟିଙ୍ଗ୍ କମ୍ପାନିରେ ସେମାନେ କାର୍ଯ୍ୟ କରୁଥିବା କଥା ସେ କହିଛନ୍ତି।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କେତେଗୁଡ଼ିଏ କାର୍ଯ୍ୟାଳୟ ଥିବା ଉକ୍ତ ଅଟ୍ଟାଳିକାରେ ସନ୍ଧ୍ୟା ପ୍ରାୟ ୭.୩୦ରେ ନିଆଁ ଲାଗିଥିଲା।
୮ ତାଲାବିଶିଷ୍ଟ ଉକ୍ତ ଅଟ୍ଟାଳିକାର ଗୋଟିଏ ତାଲାରୁ ଆଉ ଗୋଟିଏ ତାଲାକୁ ବ୍ୟାପିଯାଉଥିବା ନିଆଁକୁ ଲିଭାଇବା ପାଇଁ ୪ଟି ‘ଫାୟାର୍ ଇଞ୍ଜିନ୍’ ସମେତ ୧୦ରୁ ଅଧିକ ଦମକଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର ଅଭିଯାନ ପ୍ରାୟ ରାତି ଅଧ ପର୍ଯ୍ୟନ୍ତ ଚାଲିଥିଲା।
ବିଦ୍ୟୁତ୍ ସର୍ଟ-ସର୍କିଟ୍ ଯୋଗୁଁ ନିଆଁ ଲାଗିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା ପୁଲିସ କହିଛି।
Follow Us