୬୦୦୦ କୋଟିର ବ୍ୟାଡ୍‌ ବ୍ୟାଙ୍କ ଗଠନ ହେବ, ରିଜର୍ଭ ବ୍ୟାଙ୍କରେ ଶୀଘ୍ର ଆବେଦନ କରିବ ଆଇବିଏ

Advertisment

ସରକାରୀ ବ୍ୟାଙ୍କ ପାଖରେ ରହିବ ୫୧% ଅଂଶଧନ

ସରକାରୀ ବ୍ୟାଙ୍କ ପାଖରେ ରହିବ ୫୧% ଅଂଶଧନ

୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ମୁମ୍ବାଇ: ପରିଶୋଧ ହୋଇପାରୁନଥିବା ଋଣ ସମସ୍ୟାର ମୁକାବିଲା ଲାଗି ଖୁବ୍‌ଶୀଘ୍ର ଦେଶରେ ବ୍ୟାଡ୍‌ ବ୍ୟାଙ୍କ ଗଠନ କରାଯିବ। ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଏଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିଛି। ରେଜିଷ୍ଟ୍ରାର ଅଫ୍ କଂପାନିଜ୍‌ (ଆର୍‌ଓସି) ଠାରୁ ଏହା ଲାଇସେନ୍ସ ହାସଲ କରିଛି। ଖୁବ୍‌ଶୀଘ୍ର ୬୦୦୦ କୋଟି ଟଙ୍କା ମୂଲ୍ୟର ବ୍ୟାଡ୍ ବ୍ୟାଙ୍କ ଗଠନ କରିବା ଲାଗି ଅନୁମତି ଦେବା ଲାଗି ଆଇବିଏ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଆବେଦନ କରାଯିବ। ଏହି ସଂସ୍ଥା ବ୍ୟାଙ୍କଗୁଡ଼ିକ ଠାରୁ ଏନ୍‌ପିଏ ରାଶି ଅଧିଗ୍ରହଣ କରି ତାହାକୁ ଅସୁଲ କରିବା ଦିଗରେ କାର୍ଯ୍ୟ କରିବ। ଏହା ଦ୍ବାରା ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ଚାପ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

ଆଇବିଏ ହେଉଛି ବ୍ୟାଙ୍କଗୁଡ଼ିକର ପରିଚାଳନା କରୁଥିବା କର୍ତ୍ତୃପକ୍ଷମାନଙ୍କ ସର୍ବୋଚ୍ଚ ସଂଘ। ଏହା ନ୍ୟାସନାଲ୍ ଆସେଟ୍ ରିକନଷ୍ଟ୍ରକ୍ସନ କଂପାନି ଲିମିଟେଡ୍ (ଏନ୍‌ଏଆର୍‌ସିଏଲ୍‌) ବା ବ୍ୟାଡ୍ ବ୍ୟାଙ୍କ ଗଠନ ଲାଗି ଆବେଦନ କରିବ। ରେଜିଷ୍ଟ୍ରାର ଅଫ୍ କଂପାନିଜ୍‌ରେ ପଞ୍ଜୀକରଣ ‌ଶେଷ ହୋଇଥିବାରୁ ଗାଇଡ୍‌ଲାଇନ୍ ଅନୁସାରେ ପ୍ରାରମ୍ଭିକ ୧୦୦ କୋଟି ଟଙ୍କାର ପୁଞ୍ଜି କଂପାନିରେ ଭର୍ତ୍ତି କରାଯିବ। ଏହା ପରେ ଅଡିଟ୍ ହେବ। ଏହି ପ୍ରକ୍ରିୟା ଶେଷ ହେବା ପରେ ରିଜର୍ଭ ବ୍ୟାଙ୍କ ନିକଟରେ ଲାଇସେନ୍ସ ପାଇଁ ଆବେଦନ କରାଯିବ। ୨୦୧୭ରେ ରିଜର୍ଭ ବ୍ୟାଙ୍କ ତରଫରୁ ବ୍ୟାଡ୍ ବ୍ୟାଙ୍କ୍‌ ଲାଗି ପ୍ରାରମ୍ଭିକ ପୁଞ୍ଜି ପରିମାଣକୁ ୨ କୋଟି ଟଙ୍କାରୁ ବଢ଼ାଇ ୧୦୦ କୋଟି ଟଙ୍କା କରାଯାଇଥିଲା। ଆର୍ଥିକ ସଂସ୍ଥାଗୁଡ଼ିକ ଠାରୁ ଏନ୍‌ପିଏ ରାଶି କିଣିବା ଲାଗି ଅଧିକ ଟଙ୍କାର ଆବଶ୍ୟକତା ରହିଥିବାରୁ ରିଜର୍ଭ ବ୍ୟାଙ୍କ ପ୍ରାରମ୍ଭିକ ପାଣ୍ଠି ପରିମାଣ ବଢ଼ାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟି ବ୍ୟାଙ୍କ ଠାରୁ ୧୦୦ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରାଯିବ। ଏଥିପାଇଁ ଏହି ବ୍ୟାଙ୍କଗୁଡ଼ିକ ପ୍ରତିବଦ୍ଧ ରହିଛନ୍ତି। ରିଜର୍ଭ ବ୍ୟାଙ୍କର ମଞ୍ଜୁରି ମିଳିବା ପରେ ପାଣ୍ଠି ପରିମାଣକୁ ୬୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ।

ବ୍ୟାଡ୍ ବ୍ୟାଙ୍କ ଗଠନ କରିବାର ଦାୟିତ୍ବ ଆଇବିଏକୁ ପ୍ରଦାନ କରାଯାଇଛି। ଏହି ସଂସ୍ଥା ଗଠନ କରିବା ଲାଗି ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ବୋର୍ଡ ଗଠନ କରାଯାଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଅଧିକାରୀ ପି ଏମ୍ ନାୟାରଙ୍କୁ ଏହାର ଏମ୍‌ଡି ଭାବେ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ଆଇବିଏର ସିଇଓ ସୁନିଲ ମେହ୍‌ତା, ଷ୍ଟେଟ୍‌ ବ୍ୟାଙ୍କର ଉପ ପରିଚାଳନା ନିର୍ଦେଶକ ଏସ୍‌ ଏସ୍‌ ନାୟାର ଓ କାନାରା ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଅଜିତ କୃଷ୍ଣନ ନାୟାରଙ୍କୁ ବୋର୍ଡର ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ବ୍ୟାଡ୍‌ ବ୍ୟାଙ୍କର ୫୧% ଅଂଶଧନ ସରକାରୀ ବ୍ୟାଙ୍କ ପାଖରେ ଓ ବଳକା ୪୯% ଅଂଶଧନ ଘରୋଇ ବ୍ୟାଙ୍କ ପାଖରେ ରହିବ।

ଦେଶର ସରକାରୀ ବ୍ୟାଙ୍କଗୁଡ଼ିକରେ ପରିଶୋଧ ହୋଇପାରୁନଥିବା ଋଣ ବା ଏନ୍‌ପିଏ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏନ୍‌ପିଏ ଯୋଗୁଁ ହେଉଥିବା କ୍ଷତିର ଭରଣା କରିବା ଲାଗି ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ବ୍ୟାଙ୍କଗୁଡ଼ିକ ବିପୁଳ ପରିମାଣର ପାଣ୍ଠି ଅଲଗା ରଖୁଛନ୍ତି। ଏହି ପ୍ରକ୍ରିୟାକୁ ପ୍ରୋଭିଜନିଂ କୁହାଯାଉଛି। ଅଧିକ ଟଙ୍କା ପ୍ରୋଭିଜନିଂ ପାଇଁ ରଖାଯାଉଥିବାରୁ ଋଣ ଦେବା ଲାଗି ବ୍ୟାଙ୍କଗୁଡ଼ିକ ପାଖରେ କମ୍ ପାଣ୍ଠି ରହୁଛି। ସରକାରୀ ବ୍ୟାଙ୍କର ଏନ୍‌ପିଏ ସମସ୍ୟା ଦୂର କରିବା ଲାଗି ବ୍ୟାଡ୍ ବ୍ୟାଙ୍କ ଗଠନ କରିବା ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟ୍‌ରେ ଘୋଷଣା କରିଥିଲେ। ଏହି ବ୍ୟାଡ୍‌ ବ୍ୟାଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଏନ୍‌ପିଏକୁ ଚିହ୍ନଟ କରିବ ଏବଂ ସେଗୁଡ଼ିକୁ ଅଧିଗ୍ରହଣ କରିବା ଲାଗି ପ୍ରସ୍ତାବ ଦେବ। ଏକ ନିର୍ଦିଷ୍ଟ ମୂଲ୍ୟରେ ଏହା ଏନ୍‌ପିଏ ଖାତାକୁ ଅଧିଗ୍ରହଣ କରିବା ପରେ ସେଗୁଡ଼ିକରେ ଫସି ରହିଥିବା ଟଙ୍କା ଅସୁଲ କରିବା ଲାଗି ନିଜ ଆଡ଼ୁ ଉଦ୍ୟମ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୮୯ ହଜାର କୋଟି ଟଙ୍କାର ୨୨ଟି ଏନ୍‌ପିଏ ଖାତା ବ୍ୟାଡ୍‌ ବ୍ୟାଙ୍କକୁ ହସ୍ତାନ୍ତର କରାଯିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe