ଚୀନ୍‌ରେ ମାସକରେ ୬୦ ହଜାର କରୋନା ମୃତ୍ୟୁ: ଜାନୁଆରି ଶେଷ ସୁଦ୍ଧା ପୂରା ବେଜିଂ କୋଭିଡ୍‌ ସଂକ୍ରମିତ‌ ହେବ

ଚୀନ୍‌ରେ ମାସକରେ ୬୦ ହଜାର କରୋନା ମୃତ୍ୟୁ: ଜାନୁଆରି ଶେଷ ସୁଦ୍ଧା ପୂରା ବେଜିଂ କୋଭିଡ୍‌ ସଂକ୍ରମିତ‌ ହେବ

ବେଜିଂ: ଚୀନ୍‌ରେ ମାସକ ମଧ୍ୟରେ ପାଖାପାଖି ୬୦ ହଜାର କରୋନା ମୃତ୍ୟୁ ହୋଇଛି। ଡିସେମ୍ବର ୮ରୁ ଜାନୁଆରି ୧୨ ମଧ୍ୟରେ ଚୀନ୍‌ରେ ୫୯,୯୩୮ କରୋନା ମୃତ୍ୟୁ ହୋଇଛି ବୋଲି ଚୀନ୍‌ର ଏନ୍‌ଏଚସି (ଜାତୀୟ ସ୍ବାସ୍ଥ୍ୟ କମିସନ୍‌) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ତେବେ ଚୀନ୍‌ କେବଳ ହସ୍ପିଟାଲ୍‌ରେ ହୋଇଥିବା କରୋନା ମୃତ୍ୟୁର ତଥ୍ୟ ଦେଇଛି। କରୋନା ଭାଇରସ ଯୋଗୁଁ ଶ୍ବାସକ୍ରିୟାରେ ସମସ୍ୟା ହୋଇ ୫,୫୦୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୪,୪୩୫ ଜଣଙ୍କର କରୋନା ସହ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ପାଇଁ ମୃତ୍ୟୁ ହୋଇଛି। ଚୀନ୍‌ର ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, କରୋନାରେ ମୃତ୍ୟୁ ଘଟିଥିବା ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ବୟସ ୬୫ରୁ ଅଧିକ। ଉଲ୍ଲେଖଯୋଗ୍ୟ, ଚୀନ୍‌ରେ କରୋନା କଟକଣା କୋହଳ ହେବା ପରଠାରୁ ସଂକ୍ରମଣ ବଢ଼ିଛି। ଚୀନ୍‌ ଏହାର କରୋନା ସଂକ୍ରମଣ ତଥ୍ୟ ଦେବା ବନ୍ଦ କରିଦେଇଥିଲା। କିନ୍ତୁ ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ ଅନ୍ୟ ରାଷ୍ଟ୍ରମାନେ ଲଗାତାର ଚିନ୍ତା ପ୍ରକଟ କରିବା ଏବଂ ଚୀନ୍‌ର ନିଷ୍ପତ୍ତିକୁ ସମାଲୋଚନା କରିବାପରେ ଚୀନ୍‌ ଆଜି ତଥ୍ୟ ଦେଇଛି। ତେବେ ଏହି ତଥ୍ୟକୁ ନେଇ ମଧ୍ୟ ଅନେକ ରାଷ୍ଟ୍ର ସନ୍ଦେହ ପ୍ରକଟ କରିଛନ୍ତି।

ବେଜିଂ: ଏକ ନୂଆ ଅନୁଧ୍ୟାନ ଅନୁଯାୟୀ ଚୀନ୍ ରାଜଧାନୀ ବେଜିଂର ପ୍ରାୟ ସମସ୍ତ ୨୨ ନିୟୁତ ଲୋକ ଜାନୁଆରି ଶେଷ ସୁଦ୍ଧା କୋଭିଡ୍ ସଂକ୍ରମିତ ହେବେ। ବେଜିଂର ପ୍ରାୟ ୭୬ ପ୍ରତିଶତ ଲୋକ ୨୦୨୨ ଡିସେମ୍ବର ସୁଦ୍ଧା ସଂକ୍ରମିତ ହୋଇସାରିଥିବା ବେଳେ ଜାନୁଆରି ଶେଷ ସୁଦ୍ଧା ଏହି ସଂଖ୍ୟା ୯୨ ପ୍ରତିଶତରେ ପହଞ୍ଚିବ ବୋଲି ନେଚର ମେଡିସିନ୍ ପତ୍ରିକାରେ ପ୍ରକାଶିତ ଏକ ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଗତ ଡିସେମ୍ବରରେ ଚୀନ୍ ତା’ର ଜିରୋ କୋଭିଡ୍‌ ନୀତି କୋହଳ କରିବା ମାତ୍ରେ ସଂକ୍ରମଣ ବଢ଼ିପାଣି ପରି ମାଡ଼ିଚାଲିଛି। କଟକଣା ଉଠାଇଦେବା ପରେ ଭୂତାଣୁଙ୍କ ପ୍ରଜନନ ହାର (ରିପ୍ରଡକ୍ଟିଭ୍ ରେଟ୍‌) ୩.୪୪କୁ ବୃଦ୍ଧି ପାଇଛି। ଏହାର ଅର୍ଥ ଜଣକୁ ଭୂତାଣୁ ସଂକ୍ରମଣ କଲାମାନେ ତାଙ୍କଠାରୁ ଆଉ ୩.୪୪ ଜଣଙ୍କୁ ବ୍ୟାପିବ। ଏଭଳି ବ୍ୟାପକ ସଂକ୍ରମଣ ଆଗରେ ଅସହାୟ ଚୀନ୍ ହାତ ଟେକିଦେଇଛି। ବେଜିଂ ଏବେ ଭୂତାଣୁଙ୍କ ସାଙ୍ଗରେ ବଞ୍ଚିବାକୁ ନିଷ୍ପତ୍ତି ନେଇଛି। ଗତମାସରେ ଚୀନରେ ରୋଗୀ ଓ ମୃତକଙ୍କ ଦ୍ବାରା ହସ୍ପିଟାଲ ଓ ମଶାଣି ସବୁ ଭର୍ତ୍ତି ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe