ମୌସୁମୀ ନେଲାଣି ୬୨୪ ଜୀବନ: ସର୍ବାଧିକ ଗୁଜରାଟରେ, ୨୦୨୨ ତୁଳନାରେ ଏ ବର୍ଷର ମୃତ୍ୟୁହାର କମ୍

Advertisment
ମୌସୁମୀ ନେଲାଣି ୬୨୪ ଜୀବନ: ସର୍ବାଧିକ ଗୁଜରାଟରେ, ୨୦୨୨ ତୁଳନାରେ ଏ ବର୍ଷର ମୃତ୍ୟୁହାର କମ୍

ନୂଆଦିଲ୍ଲୀ: ଗତ ଜୁନ୍ ମାସରୁ ଚଳିତବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହେବା ପରଠାରୁ ବର୍ଷା ସମ୍ବନ୍ଧୀୟ ଘଟଣା ଯୋଗୁଁ ଭାରତରେ ଅଦ୍ୟାବଧି ୬୨୪ ଜଣ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ତେବେ ଗତବର୍ଷ ତୁଳନାରେ ଏହା ପ୍ରାୟ ୩୨ ପ୍ରତିଶତ କମ୍, କାରଣ ମୁଖ୍ୟତଃ ପୂର୍ବ ଓ ମଧ୍ୟ ଭାରତରେ ଯଥେଷ୍ଟ କମ୍ ବୃଷ୍ଟିପାତ ହୋଇଛି। ଗୃହ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁସାରେ, ଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଧନଜୀବନ ହାନି ଘଟିଛି। କିନ୍ତୁ ୨୦୨୨ ତୁଳନାରେ ତାହା କମ୍ କାରଣ ଚଳିତ ବର୍ଷ ଭାରତର ଅନେକ ସ୍ଥାନରେ ସ୍ବାଭାବିକଠାରୁ ବହୁତ କମ୍ ବୃଷ୍ଟିପାତ ହୋଇଛି। ଓଡ଼ିଶା, ତେଲେଙ୍ଗାନା, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସମେତ ୧୨ଟି ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି।

ହିମାଚଳ ପ୍ରଦେଶରେ ୨୨୩ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସୋଲାନ ଏବଂ ଉନା ଭଳି କେତେକ ସ୍ଥାନ ପାଇଁ ଗତ ୫୦ ବର୍ଷ ମଧ୍ୟରେ ସର୍ବାଧିକ। ପ୍ରବଳ ବର୍ଷା ଯୋଗୁ ପ୍ରାୟ ୬୦,୦୦୦ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇ ସାରିଲାଣି। ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମୌସୁମୀ ଋତୁରେ ହିମାଚଳ ପ୍ରଦେଶରେ ୯୯ ଜଣଙ୍କର ମୃତ୍ୟୁ ଘଟିଛି। ୨୦୨୨ରେ ୧୮୭ ଜଣଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି ଯେ, ଚଳିତ ବର୍ଷ ବର୍ଷା ସମୟରେ କୌଣସି ବଡ଼ ସଡ଼କ ଦୁର୍ଘଟଣା ଘଟି ନାହିଁ କାରଣ ଜୁନ୍ ୩୦ ସୁଦ୍ଧା ଶେଷ ହୋଇଥିବା ପର୍ଯ୍ୟଟନ ଋତୁ ପରେ ଭୂସ୍ଖଳନ ଏବଂ ବର୍ଷା ସମ୍ଭାବନା ଉପରେ ଲୋକଙ୍କୁ ସଚେତନ କରାଇ ଦିଆଯାଇଥିଲା। ତେବେ ଚଳିତ ବର୍ଷ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି। ୨୦୨୨ ତୁଳନାରେ ହିମାଚଳ ପ୍ରଦେଶରେ ପ୍ରାୟ ପାଞ୍ଚ ଗୁଣ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି।

ବାସ୍ତବରେ ହିମାଚଳ ଅପେକ୍ଷା ଗୁଜରାଟରେ (୧୦୩) ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଜୁନ୍ ମାସରେ ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଏବଂ ପରେ ପ୍ରବଳ ବର୍ଷା ହେତୁ ଏହା ଘଟିଛି। ଏହାଛଡ଼ା କର୍ଣ୍ଣାଟକରେ ୮୭ ଜଣ ଏବଂ ରାଜସ୍ଥାନ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି। ବନ୍ୟାଗ୍ରସ୍ତ ପଞ୍ଜାବ ଓ ହରିୟାଣାରେ ଯଥୋକ୍ରମେ ୧୧ ଓ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତବର୍ଷ ଏହି ସଂଖ୍ୟା ଥିଲା ଯଥାକ୍ରମେ ୫ ଓ ୦। ୨୦୨୨ ମସିହାରେ ଆସାମରେ ୧୯୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଚଳିତବର୍ଷ ମୌସୁମୀ ଋତୁରେ ତାହା ୩୮ ରହିଛି। ଗତବର୍ଷ ମେଘାଳୟ ଓ ମଣିପୁରରେ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe