ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ୧୨୧ ଆସନରେ ଭୋଟ୍ ଗ୍ରହଣ ଶେଷ ହୋଇଛି ଏବଂ ୬୪.୪୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୧୮ ଜିଲ୍ଲା ମଧ୍ୟରୁ ବେଗୁସରାଇରେ ମତଦାନ ପ୍ରତିଶତ ସର୍ବାଧିକ ୬୭.୩୨ ରହିଛି। ଏହା ପଛକୁ ଗୋପାଳଗଞ୍ଜରେ ୬୪.୯୬%, ମୁଜାଫରପୁରରେ ୬୪.୬୩% ଏବଂ ପାଟନାରେ ୫୫.୦୨% ରହିଛି। ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହେବା ସହିତ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧାରୀ, ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ବୀ ଯାଦବ, ଏଲ୍ଜେପି ନେତା ଚିରାଗ ପାଶ୍ବାନ ଆଜି ମତଦାନ କରିଛନ୍ତି। ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଆଜି ସ୍ୟାହି ଲାଗିଥିବା ଅଙ୍ଗୁଳି ସହ ନିଜର ଏକ ଫ୍ୟାମିଲି ଫଟୋ ପୋଷ୍ଟ୍ କରି ଲେଖିଛନ୍ତି, ‘ରୁଟି ତାୱାରେ ଓଲଟାଇବା ଉଚିତ, ନଚେତ ଏହା ପୋଡ଼ିଯିବ। ୨୦ ବର୍ଷ ବହୁତ ଲମ୍ବା ସମୟ। ଏବେ ନୂଆ ବିହାର ପାଇଁ ତେଜସ୍ବୀ ସରକାର ଜରୁରି।’
ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। ବିହାରର ଲଖିସରାଇ ଜିଲ୍ଲାରେ ଆଜି ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। କିଛି ଲୋକ ସିହ୍ନାଙ୍କ କନ୍ଭୟ ଉପରକୁ ପଥର ମାଡ଼ କରିବା ସହ ଗୋବର ଓ ସ୍ଲିପର୍ ଫୋପାଡ଼ିଛନ୍ତି। ତେବେ ଆର୍ଜେଡି ଏଭଳି ଆକ୍ରମଣ କରିଛି ବୋଲି ବିଜେପି ଅଭିଯୋଗ କରିଛି। ୩ ଥର ବିଧାୟକ ହୋଇଥିବା ସିହ୍ନା ଦାବି କରିଛନ୍ତି ଯେ ଆର୍ଜେଡି ସମର୍ଥକଙ୍କ ଦ୍ବାରା ଏହି ଆକ୍ରମଣ କରାଯାଇଛି। ଉକ୍ତ ଘଟଣାର ଏକ ଭିଡିଓରୁ ଦେଖିବାକୁ ମିଳିଛି ଯେ କିଛି ଲୋକ ସିହ୍ନାଙ୍କ ଗାଡ଼ିକୁ ଘେରିଯାଇ ସ୍ଲୋଗାନ ଦେଇଥିଲେ ଏବଂ ଗାଡ଼ି ଆଗକୁ ବଢ଼ିବାପାଇଁ ଦେଇନଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ କନ୍ଭୟ ଉପରେ ଆକ୍ରମଣ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଡିଜିପିଙ୍କୁ କହିଛନ୍ତି। ସେହିପରି ଅନ୍ୟ ଏକ ଘଟଣାରେ ସାରନ ଜିଲ୍ଲାର ମାଞ୍ଝି ନିର୍ବାଚନମଣ୍ଡଳୀରେ ଆଜି ସିପିଆଇ(ଏମ୍ଏଲ) ଲିବରେସନ ବିଧାୟକଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଛି। ସାରନ ପୁଲିସ ଅନୁଯାୟୀ ବିଧାୟକ ତାଙ୍କ ସମର୍ଥକଙ୍କ ସହ କାର୍ରେ ଥିବାବେଳେ ହଠାତ କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗି ରହିଛି ଏବଂ ସେଠାରେ ଅଧିକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି।
ମତଦାନ ପ୍ରକ୍ରିୟା ଦେଖିଲେ ୭ ରାଷ୍ଟ୍ରର ୧୬ ପ୍ରତିନିଧି
ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ୭ଟି ରାଷ୍ଟ୍ରର ୧୬ଟି ପ୍ରତିନିଧି ଦଳ ଏହି ପ୍ରକ୍ରିୟା ଏବଂ ଏ ବାବଦ ପ୍ରସ୍ତୁତି ଦେଖିଛନ୍ତି। ଇଣ୍ଡୋନେସିଆ, କଲମ୍ବିଆ, ଫିଲିପାଇନ୍ସ, ଫ୍ରାନ୍ସ, ବେଲଜିୟମ, ଦକ୍ଷିଣ ଆଫ୍ରିକା ଏବଂ ଥାଇଲାଣ୍ଡର ପ୍ରତିନିଧି ଦଳ ଏବେ ନିର୍ବାଚନ ପ୍ରସ୍ତୁତି ଅନୁଧ୍ୟାନ ପାଇଁ ବିହାରରେ ଅଛନ୍ତି। ଭାରତୀୟ ନିର୍ବାଚନ କମିସନ୍ର ଇଣ୍ଟରନାସ୍ନାଲ୍ ଇଲେକ୍ଟର୍ସ ଭିଜିଟର୍ ପ୍ରୋଗ୍ରାମ ଅଧୀନରେ ଏହି ପ୍ରତିନିଧି ଦଳଙ୍କୁ ଭାରତ ଅଣାଯାଇଛି। ଥାଇଲାଣ୍ଡର ଜଣେ ପ୍ରତିନିଧି ଆଜି ପାଟନାରେ ଏକ ଭୋଟିଂ ବୁଥ୍ରେ ପହଞ୍ଚି ଭୋଟିଂ ପ୍ରକ୍ରିୟାକୁ ଭଲଭାବେ ଅନୁଧ୍ୟାନ କରିଥିଲେ। ଅନ୍ୟପକ୍ଷେ ନିର୍ବାଚନ ନିର୍ବାଚନ ଆୟୋଗର ଶୀର୍ଷ ଅଧିକାରୀମାନେ ଆଜି ବିଭିନ୍ନ ଭୋଟିଂ ବୁଥ୍ରେ ଉପଲବ୍ଧ ଥିବା ଲାଇଭ ଫିଡ୍ ଦ୍ବାରା ମତଦାନ ପ୍ରକ୍ରିୟାକୁ ଲଗାତାର ଅନୁଧ୍ୟାନ କରିଥିଲେ। ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଭୋଟିଂ ବୁଥ୍ରେ ସିସିଟିଭି ଲଗାଯାଇଛି। ଅଧିକାରୀମାନେ କହିଛନ୍ତି, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିସନର ଏସ୍ ଏସ୍ ସନ୍ଧୁ ଏବଂ ବିବେକ ଯୋଶୀ ନିର୍ବାଚନ ସଦନର କଣ୍ଟ୍ରୋଲ ରୁମ୍ରେ ମତଦାନ ପ୍ରକ୍ରିୟାର ସିଧା ପ୍ରସାରଣ ଦେଖିଛନ୍ତି।
Follow Us