India Today
ନୂଆଦିଲ୍ଲୀ : ଚଳିତ ବର୍ଷ ହଜ୍ କରିବା ପାଇଁ ଇରାକ-କୁର୍ଦ୍ଦ ମୂଳ ବାସିନ୍ଦା ଜଣେ ବ୍ରିଟିଶ ବ୍ୟକ୍ତି ଇଂଲଣ୍ଡର ୱୋଲଭରହମ୍ପଟନ୍ ଠାରୁ ୬,୫୦୦ କିଲୋମିଟର ଚାଲି ଚାଲି ମକ୍କାରେ ପହଞ୍ଚିଥିଲେ। ଆଦାମ ମହମ୍ମଦ(୫୨) ନାମକ ଏହି ବ୍ୟକ୍ତି ଜଣକ ନେଦରଲ୍ୟାଣ୍ଡ, ଜର୍ମାନୀ, ଅଷ୍ଟ୍ରିଆ, ହଙ୍ଗେରୀ, ସର୍ବିଆ, ବୁଲଗେରିଆ, ତୁର୍କୀ, ଲେବାନନ୍ ଏବଂ ଜୋର୍ଡାନ ଦେଇ ସାଉଦି ଆରବରେ ପହଞ୍ଚିବାକୁ ୧୦ ମାସ ୨୫ ଦିନରେ ପ୍ରାୟ ୬,୫୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲେ। ସେ ୨୦୨୧ ଅଗଷ୍ଟ ୧ରେ ବ୍ରିଟେନରୁ ଯାତ୍ରାରମ୍ଭ କରି ଗତ ମାସରେ ସାଉଦି ଆରବରେ ପହଞ୍ଚିଥିଲେ।
ଅଲ ଜଜିରାର ଏକ ରିପୋର୍ଟ ଅନୁଯାୟୀ, ଆଦାମ ପ୍ରତିଦିନ ହାରାହାରି ୧୭.୮ କିଲୋମିଟର ଅତିକ୍ରମ କରୁଥିଲେ। ସାଙ୍ଗରେ ଥିଲା ୩୦୦ କିଲୋଗ୍ରାମ ଓଜନର କାଠରେ ତିଆରି ଏକ ଠେଲା ଗାଡ଼ି। ସେଥିରେ ତାଙ୍କ ବ୍ୟକ୍ତିଗତ ଜିନିଷ ଏବଂ ଇସ୍ଲାମିକ ସଙ୍ଗୀତ ବାଜୁଥିବା ସ୍ପିକର ସଜାଯାଇଥିଲା। ତାଙ୍କର ଲକ୍ଷ୍ୟ ଥିଲା ଶାନ୍ତି ଏବଂ ଏକତାର ବାର୍ତ୍ତା ବାଣ୍ଟିବା।
ଏହି ଯାତ୍ରା କରିବାକୁ ତାଙ୍କର ନିଷ୍ପତ୍ତି ଏହି ପ୍ରାଣ-ଅନୁସନ୍ଧାନର ଫଳାଫଳ। ବାଟରେ ଲୋକମାନେ ତାଙ୍କୁ ଦେଇଥିବା ଭଲ ପାଇବାକୁ ନେଇ ସେ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। ସେ ଟିକ୍ଟକ୍ରେ ତାଙ୍କର ଯାତ୍ରା ପ୍ରସାରଣ କରି ଅଢ଼େଇ ଲକ୍ଷ ଅନୁସରଣକାରୀ ଲାଭ କରିଥିଲେ।
ସୂଚନାଯୋଗ୍ୟ, ଦୁଇ ବର୍ଷର ବ୍ୟବଧାନ ପରେ ସାଉଦି ଆରବ ଚଳିତ ବର୍ଷ ୧ ମିଲିୟନ ମୁସଲମାନଙ୍କୁ ହଜ୍ କରିବାକୁ ଅନୁମତି ଦେଇଛି। ୨୦୨୦ ଏବଂ ୨୦୨୧ରେ ହଜ୍ କେବଳ ସାଉଦି ଆରବ ବାସିନ୍ଦାଙ୍କ ପାଇଁ ସୀମିତ ଥିଲା। ଚଳିତ ବର୍ଷ ଜୁଲାଇ ୭ରେ ହଜ୍ ତୀର୍ଥଯାତ୍ରା ଆରମ୍ଭ ହୋଇଛି।
Follow Us