ଗଡସେ ଜନ୍ମବାର୍ଷିକୀ ପାଳନ କରି ୬ ଗିରଫ

Advertisment
ଗଡସେ ଜନ୍ମବାର୍ଷିକୀ ପାଳନ କରି ୬ ଗିରଫ

ସୁରଟ: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କ ଜନ୍ମବାର୍ଷିକୀ ପାଳନ କରି ସୁରଟରେ ଅଖିଳ ଭାରତ ହିନ୍ଦୁ ମହାସଭାର ୬ ଜଣ କର୍ମକର୍ତା ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ସୁରଟର ଲିମ୍ବାୟତ ଅଂଚଳରେ ଥିବା ସୂର୍ଯ୍ୟମୁଖୀ ହନୁମାନ ମନ୍ଦିରରେ ହିନ୍ଦୁ ମହାସଭାର ସଦସ୍ୟମାନେ ଗଡ଼ସେଙ୍କ ଜନ୍ମବାର୍ଷିକୀ ପାଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୫ ଜଣ ଯୁବକ ଯୋଗ ଦେଇଥିବା ବେଳେ ଏହାକୁ ସୁଟିଂ କରାଯାଇ ସ୍ଥାନୀୟ ଟେଲିଭିଜନ ଚାନେଲ୍‌ରେ ପ୍ରସାରଣ କରାଯାଇଥିଲା। ଏତଦ ବ୍ୟତୀତ ସୋସିଆଲ୍‌ ମିଡିଆରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମର ଭିଡ଼ିଓ ଭାଇରାଲ କରାଯାଇଥିଲା। ହିନ୍ଦୁ ମହାସଭାର ସଦସ୍ୟମାନେ ଗଡ଼ସେଙ୍କ ଫଟୋ ଚାରିପାଖେ ଦୀପ ଜଳାଇବା ସହିତ ଭଜନ ଗାନ କରି ମିଠାଈ ବାଣ୍ଟିଥିବା ଭିଡିଓରୁ ଜଣାପଡିଥିଲା। ଏହାପରେ ହି‌େରନ୍‌ ମସ୍ରୁ, ଭଲା ଭରୱାଦ, ଭିରଲ ମଲ୍‌ଭି, ହିତେଶ ସନାର, ଯୋଗେଶ ପଟେଲ ଏବଂ ମନିଶ କଲଲଙ୍କୁ ଗିରଫ କରାଯାଇଥିବା ସୁରଟ ପୁଲିସ କମିସନର ସତୀଶ ଶର୍ମା ସୂଚନା ଦେଇଛନ୍ତି। ଶର୍ମା କହିଛନ୍ତି, ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ପୂଜା କରି ନାଗରିକଙ୍କ ଭାବନାକୁ ଆଘାତ ପହଞ୍ଚାଯାଇଛି। ଏହା ଦ୍ୱାରା ଲୋକଙ୍କୁ ଉସୁକାଇବା ସହିତ ପରିବେଶକୁ ଅଶାନ୍ତ କରିବାକୁ ଉଦ୍ୟମ କରାଯାଇଥିବାରୁ ସେମାନଙ୍କୁ ସୋମବାର ଗିରଫ କରାଯାଇଛି। ଗିରଫ ହୋଇଥିବା ମସ୍ରୁ କହିଛନ୍ତି, ସେମାନେ କିଛି ଭୁଲ କରିନାହାନ୍ତି। ଅନ୍ୟମାନେ ଗାନ୍ଧୀଙ୍କୁ ସମ୍ମାନ ଜଣାଉଥିବା ବେଳେ ସେମାନେ ଗଡ଼ସେଙ୍କୁ ସମ୍ମାନ ଜଣାଇ ଜନ୍ମବାର୍ଷିକୀ ପାଳନ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି। ଗୁଜରାଟ ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପସିଂହ ଜାଡେଜା କହିଛନ୍ତି, ଏଭଳି ଉତ୍ସବ ପାଳନକୁ ରାଜ୍ୟ ସରକାର କେବେ ସହ୍ୟ କରିବେ ନାହିଁ। ଅନ୍ୟପକ୍ଷେ କଂଗ୍ରେସ ତରଫରୁ ପ୍ରତିକ୍ରିୟା ପ୍ରକାଶ କରାଯାଇ କୁହାଯାଇଛି, ବିଜେପି ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ସମର୍ଥନ କରୁଛି ନା ଗଡ଼ସେଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଛି ତାହା ସ୍ପଷ୍ଟ କରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe