Image Courtesy of The Guardian
ଜାକର୍ତା (ଇଣ୍ଡୋନେସିଆ): ଆଜି ପୂର୍ବାଞ୍ଚଳ ପାପୁଆ ନିଉ ଗିନିରେ ୭.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ ଉପକୂଳବର୍ତ୍ତୀ ନଗରୀ ମାଦଙ୍ଗ୍ ଏବଂ ଦ୍ବୀପର ଅଭ୍ୟନ୍ତରୀଣ ଅଞ୍ଚଳରେ କୋଠାବାଡ଼ି ନଷ୍ଟ ହୋଇଥିବା କଥା ସ୍ଥାନୀୟ ଅଧିବାସୀମାନେ କହିଛନ୍ତି।
ଭୂମିକମ୍ପ ସଂକ୍ରାନ୍ତରେ ରିପୋର୍ଟ କରୁଥିବା ‘ୟୁ.ଏସ୍. ଜିଓଲୋଜିକାଲ୍ ସର୍ଭେ’ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରିଥିଲା, କିନ୍ତୁ, ସେ ବିପଦ ଟଳି ଯାଇଛି ବୋଲି ପରେ କହିଛି।
ସୁନାମି ନ ହେଲେ ବି କେତେକ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରେ ସାମାନ୍ୟ ହ୍ରାସବୃଦ୍ଧି ଘଟିବାର ଆଶଙ୍କା ଅଛି ବୋଲି ‘ୟୁ.ଏସ୍. ଜିଓଲୋଜିକାଲ୍ ସର୍ଭେ’ କହିଛି। ଏହି ଭୂମିକମ୍ପ କୈନାନ୍ତୁ ନଗରୀଠାରୁ ୬୭ କିଲୋମିଟର୍ ଦୂର ଭୂଗର୍ଭର ୬୧ କିଲୋମିଟର୍ ଅଭ୍ୟନ୍ତରରେ ସଂଘଠିତ ହୋଇଥିବା କଥା ‘ୟୁଏସ୍ଜିଏସ୍’ କହିଛି।
ଭୂମିକମ୍ପ ପ୍ରଭାବରେ ପାପୁଆ ନିଉ ଗିନିର କେତେକ ପ୍ରାନ୍ତରେ ବିଜୁଳି ସରବରାହ ବ୍ୟାହତ ହେବା ସହିତ କୋଠାବାଡ଼ି ମଧ୍ୟ ଭାଙ୍ଗିରୁଜି ଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ପୋର୍ଟ ମୋର୍ସବାଇର ୪୮୦ କିଲୋମିଟର୍ ଦୂରରେ ହୋଇଥିଲେ ବି ତା’ର ଆଖପାଖ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା।
Image Courtesy of Volcano Discoveryଭୂମିକମ୍ପ ପ୍ରଭାବନରେ ଗୋରୋକା ନଗରୀର ପୂର୍ବାଞ୍ଚଳ ମାଳଭୂମିସ୍ଥିତ ଗୋଟାଏ ବିଶ୍ବବିଦ୍ୟାଳୟର କାନ୍ଥ ଫାଟି ଯିବା ସହ ଝରକାଗୁଡ଼ିକର ଛାତ ଖସିପଡ଼ିଥିବା ଫଟୋ ଓ ଭିଡିଓରୁ ଜଣାପଡ଼ିଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ ନିକଟବର୍ତ୍ତୀ ଲାଏ ଓ ମାଦଙ୍ଗ୍ର ସ୍ଥାନୀୟ ଅଧିବାସୀମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ପୂର୍ବରୁ ସଂଘଠିତ ଭୂମିକମ୍ପଗୁଡ଼ିକ ଅପେକ୍ଷା ଏ ଭୂମିକମ୍ପର କମ୍ପନ ଥିଲା ଯଥେଷ୍ଟ ଅଧିକ।
ମାଦଙ୍ଗ୍ ନିକଟରେ ଥିବା ‘ଜୈସ୍ ଆବେନ୍ ରିସର୍ଟ’ରେ କାମ କରୁଥିବା ହିୱି ଆପୋକୋରେ ନାମରେ ଜଣେ ବ୍ୟକ୍ତି କହିଛନ୍ତି, ଭୂମିକମ୍ପ ଥିଲା ଖୁବ୍ ଶକ୍ତିଶାଳୀ, ସତେଅବା ସବୁ କିଛି ସମୁଦ୍ର ଉପରେ ଥାଇ ଭାସୁଥିବା ପରି ମନେହେଉଥିଲା।
Follow Us