Image Courtesy of India Today
ନୂଆଦିଲ୍ଲୀ: ଗତରାତିରେ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଥିବା ବସ୍ତିରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୬୦ଟି ଝୁମ୍ପୁଡ଼ି ଘର ପୋଡ଼ି ଯିବା ସହ ପ୍ରାୟ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ରାତି ପ୍ରାୟ ୧ଟା ବେଳେ ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳକୁ ୧୩ଟି ଦମକଳ ପଠାଇ ମାତ୍ର ଅଳ୍ପ କେତେ ଘଣ୍ଟା ମଧ୍ୟରେ ନିଆଁ ଲିଭାଇ ଦେଇଥିଲା।
ଦିଲ୍ଲୀ ଅଗ୍ନିଶମ ନିର୍ଦେଶକ ଅତୁଲ ଗର୍ଗ ଗଣମାଧ୍ୟମକୁ କହିଛନ୍ତି, ଚିହ୍ନି ନ ହେଉଥିବା ୭ଟି ଦଗ୍ଧ ଶବ ଉଦ୍ଧାର କରିଛୁ। ମନେହୁଏ, ଶୋଇଥିବା ବେଳେ ଅତି ପ୍ରଖର ବେଗରେ ନିଆଁ ମାଡ଼ି ଯିବାରୁ ସେମାନେ ବାହାରି ଆସିବାକୁ ବାଟ ପାଇ ନ ଥିବେ। ପ୍ରାୟ ୬୦ଟି କୁଡ଼ିଆ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିକାଣ୍ଡର କାରଣ ସଂକ୍ରାନ୍ତରେ ଏଯାବତ୍ କିଛି ଜଣାପଡ଼ିନାହିଁ।
Image Courtesy of NDTVଉପରୋକ୍ତ ଘଟଣାରେ ଶୋକବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ସକାଳୁ ସକାଳୁ ଏହି ଦୁଃଖଦାୟକ ଖବର ଶୁଣିଲି। ମୁଁ ନିଜେ ସେଠାକୁ ଯାଇ ପୀଡ଼ିତ ଲୋକମାନଙ୍କୁ ଭେଟିବି।
ଉତ୍ତର ପୂର୍ବ ଦିଲ୍ଲୀର ସାଂସଦ ମନୋଜ ତିୱାରି ମଧ୍ୟ ୭ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଲାଗି ଶୋକ ପ୍ରକାଶ କରିଛନ୍ତି। ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ଙ୍କ ଠାରେ ଦାବି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ସମଗ୍ର ଘଟଣାବଳୀ ଉପରେ ବିଚାରବିଭାଗୀୟ ତଦନ୍ତ କରାଯିବା ସହ ମୃତ ବ୍ୟକ୍ତିଙ୍କ ଆତ୍ମୀୟସ୍ବଜନଙ୍କ ପାଇଁ ତୁରନ୍ତ ୧ କୋଟି ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯିବା ଉଚିତ।
Follow Us