Image Courtesy of EastMojo
ନୂଆଦିଲ୍ଲୀ: ଛଅଜଣ ଆସାମ ପୁଲିସଙ୍କ ମୃତ୍ୟୁର କାରଣ ହୋଇଥିବା ଆସାମ ଓ ମିଜୋରାମ ଆନ୍ତଃ-ରାଜ୍ୟ ସୀମା ବିବାଦର ଦିନକ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଲୋକସଭାକୁ ସୂଚନା ଦେଇଛି ଯେ, ସମ୍ପ୍ରତି ଦେଶରେ ୭ଟି ରାଜ୍ୟରେ ସୀମା ବିବାଦ ମାମଲା ଚାଲିଛି। ସୀମାରେଖା ଚିହ୍ନଟ ପାଇଁ ସମ୍ପୃକ୍ତ ରାଜ୍ୟମାନେ ବାଦୀ-ପ୍ରତିବାଦୀ ସାଜିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ହରିୟାଣା-ହିମାଚଳ ପ୍ରଦେଶ, କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ-ହିମାଚଳ ପ୍ରଦେଶ, ମହାରାଷ୍ଟ୍ର-କର୍ଣ୍ଣାଟକ, ଆସାମ-ଅରୁଣାଚଳ ପ୍ରଦେଶ, ଆସାମ-ନାଗାଲାଣ୍ଡ୍, ଆସାମ-ମେଘାଳୟ ଏବଂ ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦ ଚାଲିଛି।
ଲୋକସଭାରେ ଏହି ଅନୁସନ୍ଧାନମୂଳକ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଲେ, ଉପରୋକ୍ତ ପ୍ରଦେଶଗୁଡ଼ିକର କେତେକ ସୀମାନ୍ତ ଅଞ୍ଚଳରେ କଦବା କ୍ବଚିତ୍ ପ୍ରତିବାଦ ଓ ହିଂସାକାଣ୍ଡ ଘଟିବା ରିପୋର୍ଟ ମିଳେ।
Image Courtesy of The New Indian Expressସୀମା ବିବାଦ ମେଣ୍ଟାଇବାରେ କେନ୍ଦ୍ର ସରକାରଙ୍କ ଭୂମିକା ସଂକ୍ରାନ୍ତ ଏକ ନିର୍ଦ୍ଦିଷ୍ଟ ଅନୁସନ୍ଧାନର ଉତ୍ତର ଦେଇ ସେ କହିଲେ ଯେ, ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କର ସହଯୋଗରେ ହିଁ ଆନ୍ତଃ-ରାଜ୍ୟ ସୀମା ବିବାଦର ସମାଧାନ ହୋଇ ପାରିବ ବୋଲି କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ରହିଛି। ଏଥିରେ କେନ୍ଦ୍ର ସରକାର କେବଳ ପାରସ୍ପରିକ ବୁଝାମଣା ପାଇଁ ଆପୋସ ସମାଧାନ ଦିଗରେ କାର୍ଯ୍ୟ କରିପାରିବ।
କଛାର ଠାରେ ଉଭୟ ରାଜ୍ୟର ବାସିନ୍ଦାମାନେ ତୁମୁଳ ସଂଗ୍ରାମ କରିବା ପରେ ସୋମବାର ଦିନ ଆସାମ ଓ ମିଜୋରାମର ମୁଖ୍ୟମନ୍ତ୍ରୀମାନେ ଟୁଇଟର୍ ଜରିଆରେ ବିବାଦ କରିଥିଲେ। ଟୁଇଟ୍ରେ ଟ୍ୟାଗ୍ ହୋଇଥିବା ଗୃହମନ୍ତ୍ରୀ ଅମିତ ଶାହ ବହୁବାର ଫୋନ୍ କରି ଉଭୟଙ୍କୁ ବୁଝାଶୁଝା କରି ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବା ଲାଗି ପରାମର୍ଶ ଦେଇଥିଲେ।
Follow Us