Image Source: India Today
ପଟିଆଲା: ରବିବାର ସକାଳେ ପଟିଆଲା ଜିଲ୍ଲାରେ ଖଣ୍ଡା ଯୋଗେ ପଞ୍ଜାବ ପୁଲିସର ଜଣେ ସହକାରୀ ସବ୍-ଇନ୍ସପେକ୍ଟରଙ୍କ ହାତ କାଟି ପକାଇବା ସହ ଅନ୍ୟ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ଆହତ କରିଥିବା ୭ଜଣ ନିହଙ୍ଗଙ୍କୁ ଗିରଫ କରାଯାଇଛି। (ନିହଙ୍ଗମାନେ ହେଉଛନ୍ତି ନୀଳ ରଙ୍ଗର ଢିଲା ପଞ୍ଜାବି ପରିହିତ ପାରମ୍ପରିକ ଅସ୍ତ୍ରଧାରୀ ଶିଖ୍।) କରୋନାଭାଇରସ୍ ମହାମାରୀ ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କର୍ଫ୍ୟୁ ସମୟରେ ସେମାନେ ପରିବା ବଜାରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ବାଧା ଦେଇଥିଲା।
ଏହି ଆକ୍ରମଣରେ ଏଏସଆଇ ହରଜିତ ସିଂହଙ୍କ ହାତ ମଣିବନ୍ଧ ପାଖରୁ କଟି ଛିଡ଼ି ଯାଇଛି। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ବାଲବେରା ଗାଁରୁ ପଟିଆଲାସ୍ଥିତ ସରକାରୀ ମେଡିକାଲ କଲେଜକୁ ନିଆଯାଇଥିଲା। ପରେ ସେଠାରୁ ତାଙ୍କୁ ଚଣ୍ଡିଗଡ଼ସ୍ଥିତ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚକୁ ରେଫର୍ କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି।
Image Source: ANIସଦର ଥାନାର ଷ୍ଟେସନ୍ ହାଉସ୍ ଅଫିସର୍ ବିକାର ସିଂହ ଏବଂ ଏଏସଆଇ ରାଜ ସିଂହଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ପଞ୍ଜାବ ମଣ୍ଡି ବୋର୍ଡର କର୍ମଚାରୀ ୟାଦୱିନ୍ଦର ସିଂହ ମଧ୍ୟ ଏହି ଆକ୍ରମଣରେ ଆହତ ହୋଇଛନ୍ତି।
ଆକ୍ରମଣରେ ପରେ ନିହଙ୍ଗମାନେ କରିଥିବା ବାଲବେରା ଗୁରୁଦ୍ବାରରେ ଆତ୍ମଗୋପନ କରିଥିଲେ। ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ମନଦୀପ ସିଂହ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଗରୁଦ୍ବାରକୁ କର୍ଡନ କରାଯାଇଥିଲା।
ସଦ୍ୟ ତଥ୍ୟ ଅନୁସାରେ, ସାତଜଣ ନିହାଙ୍ଗଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ପୁଲିସ ଗୁଳିଚୋଟରେ ଆହତ ହୋଇଛନ୍ତି।
Follow Us