ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଡିସେମ୍ବର ୪ ଏବଂ ୫ ରେ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି। ଏହି ଗସ୍ତ ଏପରି ଏକ ସମୟରେ ହେଉଛି ଯେତେବେଳେ ବିଶ୍ୱ ରାଜନୀତି, ଶକ୍ତି ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି।
ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୪ ତାରିଖରେ ଏକ ଅନୌପଚାରିକ ବୈଠକ କରିବେ। ଡିସେମ୍ବର ୫ ତାରିଖରେ ଆନୁଷ୍ଠାନିକ ଦ୍ୱିପାକ୍ଷିକ ବୈଠକ ଏବଂ ସମସ୍ତ ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ରୁଷ ଏବଂ ଭାରତ ମୋଟ ୨୫ଟି ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛନ୍ତି, ଯେଉଁଥିରେ ୧୦ଟି ସରକାରୀ ଚୁକ୍ତିନାମା ଏବଂ ୧୫ରୁ ଅଧିକ ବ୍ୟବସାୟିକ ଚୁକ୍ତିନାମା ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ ପୁଟିନ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ମଧ୍ୟ ଯୋଗଦେବେ।
ଆହୁରି ପଢ଼ନ୍ତୁ:Aurus Senat Car: ପୁଟିନଙ୍କ 'ଔରୁସ୍ ସିନେଟ୍'କାର ପାଣିରେ ଚାଲେ: କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ କରିଥାଏ ପ୍ରଭାବହୀନ
ଆସୁଛନ୍ତି ପୁଟିନ
ପୁଟିନଙ୍କ ସହିତ ଭାରତକୁ ସାତ ଜଣ ଶୀର୍ଷ ଋଷୀୟ ମନ୍ତ୍ରୀ ଆସୁଛନ୍ତି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଡ୍ରେ ବେଲୋସୋଭ, ଅର୍ଥମନ୍ତ୍ରୀ ଆଣ୍ଟନ ସିଲୁଆନୋଭ ଏବଂ ରୁଷର କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଏଲଭିରା ନାବିଉଲିନା ସାମିଲ ଅଛନ୍ତି। ରୁଷ ଏପର୍ଯ୍ୟନ୍ତ ବାକି ଚାରି ମନ୍ତ୍ରୀଙ୍କ ନାମ ସାର୍ବଜନୀନ କରିନାହିଁ। ଏହା ବ୍ୟତୀତ ପ୍ରମୁଖ ରୁଷୀୟ ଶିଳ୍ପପତି ଏବଂ ଗଣମାଧ୍ୟମ ବ୍ୟକ୍ତିତ୍ୱ ମଧ୍ୟ ପ୍ରତିନିଧିମଣ୍ଡଳର ଅଂଶ ହେବେ। ଏଥିରେ ରୋସନେଫ୍ଟ ମୁଖ୍ୟ ଇଗୋର ସେଚିନ ଏବଂ ଲୋକପ୍ରିୟ ଟିଭି ନେଟୱାର୍କ RT ର ସମ୍ପାଦକ ମାର୍ଗାରିଟା ସିମୋନିଆନ ସାମିଲ ଅଛନ୍ତି। ପୁଟିନ ଏବଂ ସିମୋନିଆନ ଭାରତରେ ଏକ ନୂତନ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ RT ଇଣ୍ଡିଆର ଲଞ୍ଚ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ।
ବୈଦେଶିକ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ , ଏହି ଗସ୍ତ ସମୟରେ ବାଣିଜ୍ୟ, ଅର୍ଥନୀତି, ପ୍ରତିରକ୍ଷା, ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା, ସଂସ୍କୃତି, ଗଣମାଧ୍ୟମ ଏବଂ ଶ୍ରମ ଗତିଶୀଳତା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚୁକ୍ତିନାମା ହେବାର ଆଶା କରାଯାଉଛି। ରୁଷରେ ଶ୍ରମିକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଦୁଇ ଦେଶ ଏକ ଶ୍ରମ ଗତିଶୀଳତା ଚୁକ୍ତିନାମା ଉପରେ ସହମତିରେ ପହଞ୍ଚିବେ ବୋଲି ଆଶା କରାଯାଉଛି, ଯାହା ଋଷରେ ଭାରତୀୟ ଶ୍ରମିକଙ୍କ ପାଇଁ ସୁରକ୍ଷିତ ଏବଂ ଉତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ।
ଭାରତର ବାଣିଜ୍ୟ ନିଅଣ୍ଟ ହ୍ରାସ ଏବଂ ତୈଳ ବାଣିଜ୍ୟକୁ ସରଳୀକରଣ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ବର୍ତ୍ତମାନ ଭାରତ-ରୁଷ ବାଣିଜ୍ୟ $63 ବିଲିୟନ ଅଛି, ଏବଂ ୨୦୩୦ ସୁଦ୍ଧା ଏହାକୁ ୧୦୦ ବିଲିୟନ ଡଲାରକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି।
ପ୍ରତିରକ୍ଷା ସହଯୋଗ ଉପରେ ଗୁରୁତ୍ବ
ରୁଷ ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ S-400 କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଏସୟୁ-୫୭ ଲଢ଼ୁଆ ବିମାନ ଆଲୋଚନାର ପ୍ରମୁଖ ବିଷୟ ହେବ। ଦୁଇ ଦେଶ ପ୍ରତିରକ୍ଷା ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀତାକୁ ଆହୁରି ଗଭୀର କରିବାକୁ ଚାହୁଁଛନ୍ତି। ଶକ୍ତି ସହଯୋଗ, ପରମାଣୁ ଶକ୍ତି ପ୍ରକଳ୍ପ ଏବଂ ତୈଳ ଏବଂ ଗ୍ୟାସ ଯୋଗାଣ ଶୃଙ୍ଖଳା ମଧ୍ୟ ଏହି ଗସ୍ତର ପ୍ରାଥମିକତା ମଧ୍ୟରେ ରହିଛି।
ଆମେରିକାର ଚାପ ନେଇ ରୁଷର ଆଭିମୁଖ୍ୟ
ପେସକୋଭ ସ୍ପଷ୍ଟ କରିଛନ୍ତି ଯେ, ରୁଷ ଆମେରିକା ଦ୍ୱାରା ଭାରତ ଉପରେ ଲଗାଯାଉଥିବା ଚାପ ବିଷୟରେ ଅବଗତ, କିନ୍ତୁ ମସ୍କୋ ବିଶ୍ୱାସ କରେ, ଭାରତ ଏକ ସମ୍ପୂର୍ଣ୍ଣ ସାର୍ବଭୌମ ଏବଂ ସ୍ୱାଧୀନ ଦେଶ। ସେ କହିଛନ୍ତି, ଭାରତ ଏବଂ ରୁଷ ମଧ୍ୟରେ ଦଶନ୍ଧି ପୁରୁଣା ବନ୍ଧୁତା ରହିଛି ଏବଂ ଏହି ଗସ୍ତ ବାଣିଜ୍ୟ, ପ୍ରତିରକ୍ଷା ଏବଂ ରଣନୈତିକ କ୍ଷେତ୍ରରେ ଏହି ସମ୍ପର୍କକୁ ଆହୁରି ମଜବୁତ କରିବ।
ଆହୁରି ପଢ଼ନ୍ତୁ:Dead Body Rescued Birupa River ବିରୂପା ନଦୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/04/25-agreements-to-be-signed-during-visit-2025-12-04-11-02-35.jpg)