Image Courtesy of The Hindu
କୋଲ୍କାତା: ପଶ୍ଚିମବଙ୍ଗ ସରକାର ମଞ୍ଜୁର କରିଥିବା ୫୦ ହଜାର ଟଙ୍କା ପୂଜା ଅନୁଦାନର ୭୫% କୋଭିଡ୍ ସୁରକ୍ଷା ଉପକରଣ ଏବଂ ବାକି ଅର୍ଥ ଜନସାଧାରଣ ଓ ପୁଲିସ ସମ୍ପର୍କ ସୁଦୃଢ଼ କରିବାରେ ଖର୍ଚ୍ଚ କରିବାକୁ କାଲ୍କାଟା ହାଇକୋର୍ଟ ଦୁର୍ଗାପୂଜା କମିଟି ଆୟୋଜକମାନଙ୍କୁ କହିଛନ୍ତି।
ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି ଯେ, ଦୁର୍ଗାପୂଜା କମିଟିମାନଙ୍କୁ ରାଜ୍ୟ ଦେଇଥିବା ଅର୍ଥ ଅନ୍ୟ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇ ପାରିବ ନାହିଁ। ଅଡିଟ୍ ନିମନ୍ତେ ପର୍ଚେଜ୍ ବିଲ୍ ସମ୍ପୃକ୍ତ ଜିଲ୍ଲାରେ ଥିବା କର୍ତ୍ତୃପକ୍ଷମାନଙ୍କ ପାଖରେ ଦାଖଲ କରିବାକୁ ପଡ଼ିବ।
ରାଜ୍ୟରେ ଥିବା ୩୬, ୯୪୬ଟି ଦୁର୍ଗାପୂଜା କମିଟି ନିମନ୍ତେ ସେପ୍ଟେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୦, ୦୦୦ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଥିଲେ। ଦୁର୍ଗାପୂଜା ସମନ୍ବୟ ବୈଠକରେ ସେ କହିଥିଲେ, କୋଭିଡ୍-୧୯ ମହାମାରୀ କାରଣରୁ ସମସ୍ତେ ବଡ଼ କଠିନ ପରିସ୍ଥିତିରେ ପଡ଼ିଛନ୍ତି। ତେଣୁ, ପ୍ରତ୍ୟେକ ଦୁର୍ଗାପୂଜା କମିଟିକୁ ୫୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିବାକୁ ଆମେ ସ୍ଥିର କରିଛୁ।
Image Courtesy of The Indian Expressଏହାକୁ ଚାଲେଞ୍ଜ୍ କରି ‘ସିଆଇଟିୟୁ’ ନେତା ସୌରଭ ଦତ୍ତ ଖଣ୍ଡପୀଠଙ୍କ ଠାରେ ଅକ୍ଟୋବର ୯ ତାରିଖ ଦିନ ପିଟିସନ୍ ଦାଏର କରିଥିଲେ। ଅନୁଦାନ ବ୍ୟତୀତ, ଅଗ୍ନିଶମ ବିଭାଗରୁ ଅନୁମତି ଫିସ୍ ଓ ବିଦ୍ୟୁତ୍ କମ୍ପାନିରୁ ରିହାତି ପାଇବା ପ୍ରସଙ୍ଗକୁ ମଧ୍ୟ ସେ ଚାଲେଞ୍ଜ୍ କରିଥିଲେ। ସେ ଦାବି କରିଥିଲେ ଯେ, ଏହି ମଞ୍ଜୁରି ଭାରତର ଧର୍ମନିରପେକ୍ଷତା ଚିନ୍ତାଧାରାର ବିରୋଧ କରିବା ସହ ସମ୍ବିଧାନରେ ଦିଆଯାଇଥିବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।
ଯୁକ୍ତି ଉପସ୍ଥାପନ କରି ରାଜ୍ୟ ସରକାର ଅଦାଲତଙ୍କୁ କହିଲେ ଯେ, କୋଭିଡ୍ ସୁରକ୍ଷା ଉପକରଣ ଏବଂ ଜନସାଧାରଣ ଓ ପୁଲିସ ସମ୍ପର୍କ ସୁଦୃଢ଼ ଭଳି ‘ଧର୍ମନିରପେକ୍ଷ କାର୍ଯ୍ୟ ଉଦ୍ଦେଶ୍ୟ’ରେ ଏହି ମଞ୍ଜୁରି ଦିଆଯାଇଛି।
ଏହାପରେ ରାୟ ଶୁଣାଇ ଅଦାଲତ କହିଲେ ଯେ, ମିଳିଥିବା ୫୦ ହଜାର ଟଙ୍କା ଅନୁଦାନର ୭୫%ରେ ସାନିଟାଇଜର୍, ମାସ୍କ୍ ଏବଂ ଫେସ୍ ସିଲ୍ଡ୍ କିଣାଯିବ ଓ ବାକି ୨୫% ଜନସାଧାରଣ-ପୁଲିସ ସମ୍ପର୍କ ସୁଦୃଢ଼ ଓ ‘କମ୍ୟୁନିଟି ପୋଲିସିଙ୍ଗ୍’ରେ ଅଧିକ ମହିଳା ସାମିଲ କରିବାରେ ଖର୍ଚ୍ଚ କରାଯିବ।
Follow Us