ନେପାଳ ରିସୋର୍ଟରେ ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

Advertisment
ନେପାଳ ରିସୋର୍ଟରେ ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

Hindustan Times

କାଠମାଣ୍ଡୁ: ଏକ ଅଭାବନୀୟ ଘଟଣାକ୍ରମରେ ନେପାଳର ଏକ ରିସୋର୍ଟରେ ୮ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ୮ ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣାପଡ଼ିଛି। । ମିଳିଥିବା ସୂଚନାନୁଯାୟୀ ରିସୋର୍ଟ ରୁମ୍‌ରେ ଗ୍ୟାସ୍‌ ଲିକ୍‌ ଯୋଗୁଁ ଏହି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ସମସ୍ତ ପର୍ଯ୍ୟଟକଙ୍କୁ ଅଚେତ ଅବସ୍ଥାରେ ହୋଟେଲ୍‌ ରୁମ୍‌ରୁ ଉଦ୍ଧାର କରାଯାଇ ତୁରନ୍ତ ହାମ୍‌ସ ହସ୍ପିଟାଲ୍‌ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ସେଠାରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହି ପର୍ଯ୍ୟଟକମାନେ କେରଳର। ୧୫ ଜଣିଆ ପର୍ଯ୍ୟଟକ ଟିମ୍‌ କେରଳରୁ ‌ନେପାଳର ପୋଖରାକୁ ଯାତ୍ରା କରିଥ‌ିଲେ। ଏହା ଅତ୍ୟନ୍ତ ପ୍ରସିଦ୍ଧ ପାର୍ବତ୍ୟାଞ୍ଚଳ ପର୍ଯ୍ୟଟନ କେନ୍ଦ୍ର। ସେମାନେ ଆଉ ଦିନକ ପରେ ଘରକୁ ଫେରିଥାନ୍ତେ। ଗତ ରାତିରେ ସେମାନେ ଏଭରେଷ୍ଟ ପାନୋରମା ରିସୋର୍ଟରେ ରହିଥିବା ବେଳେ ଏଭଳି ଅଘଟଣ ଘଟିଯାଇଛି। ମୃତକମାନେ ହେଲେ ପ୍ରବୀଣ କୁମାର ନାୟର (୩୯), ଶରାନ୍ୟ (୩୪), ରଂଜିତ କୁମାର ଟିବି (୩୯), ଇନ୍ଦୁ ରଂଜିତ (୩୪), ଶ୍ରୀ ଭଦ୍‌ରା (୯), ଅଭିନବ ସୋରୟା (୯), ଅଭି ନାୟର (୭) ଏବଂ ବୈଷ୍ଣବ ରଂଜିତ (୨)।

ରିସୋର୍ଟ ମ୍ୟାନେଜରଙ୍କ କହିବା ଅନୁଯାୟୀ ରିସୋର୍ଟରେ ଯେଉଁ ଅତିଥିମାନେ ପହଞ୍ଚିଥିଲେ ସେମାନେ ୪ଟି ରୁମ୍‌ ବୁକ୍‌ କରିଥିଲେ ମଧ୍ୟ ୮ ଜଣ ଗୋଟିଏ ରୁମ୍‌ରେ ଏବଂ ଅନ୍ୟମାନେ ଅନ୍ୟ ରୁମ୍‌ରେ ରହିଥିଲେ। ନିଜକୁ ଶୀତ କବଳରୁ ରକ୍ଷା କରିବାପାଇଁ ସେମାନେ ଗ୍ୟାସ୍‌ ହିଟର ଲଗାଇଥିଲେ। ରୁମ୍‌ର ସମସ୍ତ ଝରକା କବାଟ ଭିତରୁ ବନ୍ଦ ଥିଲା। ତେଣୁ ଗ୍ୟାସ୍‌ ଲିକ୍‌ ‌ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଶ୍ବାସରୁଦ୍ଧ ହୋଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବି‌ଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି, ନେପାଳରେ ଥିବା ଆମ ଦୂତାବାସ ଅଧିକାରୀମାନେ ହସ୍ପିଟାଲ୍‌ରେ ଅଛନ୍ତି ଏବଂ ପର୍ଯ୍ୟଟକମାନଙ୍କ ମୃତଦେହ ସ୍ବଦେଶ ଫେରାଇ ଆଣିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe