ଜୟପୁର ହସ୍ପିଟାଲ ଅଗ୍ନିକାଣ୍ଡରେ ୮ ରୋଗୀଙ୍କ ମୃତ୍ୟୁ

ରବିବାର ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁରରେ ସରକାରଙ୍କ ଦ୍ବାରା ପରିଚାଳିତ ସୱାଇ ମାନ ସିଂହ (ଏସଏମଏସ) ହସ୍ପିଟାଲର ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ଆଠ ଜଣ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି...

8 patients die in Jaipur hospital fire

8 patients die in Jaipur hospital fire

ଜୟପୁର: ରବିବାର ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁରରେ ସରକାରଙ୍କ ଦ୍ବାରା ପରିଚାଳିତ ସୱାଇ ମାନ ସିଂହ (ଏସଏମଏସ) ହସ୍ପିଟାଲର ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ଆଠ ଜଣ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି।

ଟ୍ରମା ସେଣ୍ଟର ଇନଚାର୍ଜ ଡାକ୍ତର ଅନୁରାଗ ଧାକଡ କହିଛନ୍ତି ଯେ, ଷ୍ଟୋରେଜ ଏରିଆରେ ଅଗ୍ନିକାଣ୍ଡ ଘଟିବା ସମୟରେ ନ୍ୟୁରୋ ଆଇସିୟୁରେ ୧୧ ଜଣ ରୋଗୀ ଚିକିତ୍ସାଧୀନ ଥିଲେ।  ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି ।

ଅଗ୍ନିକାଣ୍ଡ ଯୋଗୁ ହସ୍ପିଟାଲରେ ଥିବା ଲୋକେ ଦୌଡ଼ାଦୌଡ଼ି ଆରମ୍ଭ କରିଥିଲେ। ଚାରିଆଡ଼େ ଧୂଆଁ ବ୍ୟାପି ଯାଇଥିଲା। ଏହାକୁ ନେଇ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଅଗ୍ନିକାଣ୍ଡରେ ଅଞ୍ଚଳରେ ଥିବା ବିଭିନ୍ନ କାଗଜପତ୍ର, ଆଇସିୟୁ ଉପକରଣ, ରକ୍ତ ନମୁନା ଟ୍ୟୁବ୍ ଏବଂ ଅନ୍ୟାନ୍ୟ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ହସ୍ପିଟାଲ କର୍ମଚାରୀ ଏବଂ ରୋଗୀ ପରିଚାରକମାନେ ରୋଗୀମାନଙ୍କୁ ବାହାରକୁ ନେଇଯାଇଥିଲେ, ଏପରିକି ସେମାନଙ୍କୁ ସେମାନଙ୍କ ବିଛଣା ସହିତ କୋଠା ବାହାରକୁ ନେଇଯାଇଥିଲେ। ଖବର ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ନିଆଁ ଆହୁରି ବଢିବା ପୂର୍ବରୁ  କର୍ମଚାରୀମାନେ ଯଥାସମ୍ଭବ ଲୋକଙ୍କୁ ଉଦ୍ଧାର କରିଥିଲେ।

କିଛି କର୍ମଚାରୀ କହିଛନ୍ତି ଆମେ ଅସ୍ତ୍ରୋପଚାର ଥିଏଟର ଭିତରେ ଥିଲୁ, ନିଆଁ ଲାଗିବା ଶୁଣି  ଆମେ ତୁରନ୍ତ ଟ୍ରମା ସେଣ୍ଟର ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଯାଇଥିଲୁ। ଆମେ ଅତି କମରେ ତିନିରୁ ଚାରି ଜଣ ରୋଗୀଙ୍କୁ ବଞ୍ଚାଇବାରେ ସଫଳ ହେଲୁ। କିନ୍ତୁ, ନିଆଁ ବଢ଼ିବା ଯୋଗୁ ଆମେ ଆଉ କୋଠା ଭିତରକୁ ଯାଇପାରିଲୁ ନାହିଁ। ଆମେ  ଅଧିକ ଲୋକଙ୍କୁ ଉଦ୍ଧାର କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲୁ ବୋଲି କର୍ମଚାରୀମାନେ କହିଛନ୍ତି।

କର୍ମଚାରୀମାନେ କହିଛନ୍ତି ଖବର ପାଇ ପୁଲିସ ପହଞ୍ଚିଥିଲା, କିନ୍ତୁ ପ୍ରବଳ ଧୂଆଁ ଯୋଗୁ ସେମାନେ  କୋଠାରେ ପ୍ରବେଶ କରିପାରି ନଥିଲେ।

ଅଗ୍ନିଶମ ଦଳ ପହଞ୍ଚିଲା ବେଳକୁ, ସମଗ୍ର ୱାର୍ଡ ଧୂଆଁରେ ବୁଡ଼ି ଯାଇଥିଲା। ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନଙ୍କୁ କୋଠାର ବିପରୀତ ପାର୍ଶ୍ୱରେ ଥିବା ଏକ ଝରକା ଭାଙ୍ଗିବାକୁ ପଡିଥିଲା।

ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ସଂସଦୀୟ ବ୍ୟାପାର ମନ୍ତ୍ରୀ ଜୋଗାରାମ ପଟେଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଜବାହାର ସିଂହ ବେଧାମ ପରିସ୍ଥିତିର ସମୀକ୍ଷା କରିବା ପାଇଁ ଟ୍ରମା ସେଣ୍ଟର ପରିଦର୍ଶନ କରିଥିଲେ।

ପଟେଲ ଏବଂ ବେଧାମଙ୍କୁ ଦୁଇଜଣ ରୋଗୀଙ୍କ ସମ୍ପର୍କୀୟ ସେମାନଙ୍କର ଦୁଃଖ ପ୍ରକାଶ କରି ଅଭିଯୋଗ କରିଥିଲେ ଯେ, ଅଗ୍ନିକାଣ୍ଡ ସମୟରେ କର୍ମଚାରୀମାନେ ପଳାଇ ଯାଇଥିଲେ। ସେମାନେ ଏହା ମଧ୍ୟ ଦାବି କରିଥିଲେ ଯେ, ହସ୍ପିଟାଲ କର୍ମଚାରୀମାନେ ସେମାନଙ୍କ ରୋଗୀଙ୍କ ଅବସ୍ଥା ବିଷୟରେ ଅପଡେଟ୍ ଦେଇପାରିଲେ ନାହିଁ।

ଆମେ ଧୂଆଁ ଦେଖିଲୁ ଏବଂ ତୁରନ୍ତ କର୍ମଚାରୀମାନଙ୍କୁ ଜଣାଇଲୁ, କିନ୍ତୁ ସେମାନେ କୌଣସି ଧ୍ୟାନ ଦେଲେ ନାହିଁ। ଯେତେବେଳେ ନିଆଁ ଲାଗିଲା, ସେମାନେ ପ୍ରଥମେ ଦୌଡ଼ି ଆସିଲେ। ବର୍ତ୍ତମାନ, ଆମେ ଆମର ରୋଗୀମାନଙ୍କ ବିଷୟରେ କୌଣସି ସୂଚନା ପାଇପାରୁନାହୁଁ। ଆମେ ସେମାନଙ୍କ ଅବସ୍ଥା ଜାଣିବାକୁ ଚାହୁଁଛୁ, କିନ୍ତୁ କେହି ଆମକୁ କିଛି କହୁନାହାନ୍ତି ବୋଲି ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି। ପରେ, ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଡାକ୍ତର ଏବଂ ରୋଗୀଙ୍କ ସହ କଥା ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe