India Today
ନୂଆଦିଲ୍ଲୀ: ଭାରତରେ କରୋନା ତୃତୀୟ ଲହର ପ୍ରକୋପ ଜାରି ରହିଥିବା ବେଳେ ଗତ ୫ ଦିନ ଧରି ଦୈନିକ ସଂକ୍ରମଣ ୩ ଲକ୍ଷ ତଳେ ରହିବା ଆଶ୍ବସ୍ତି ଆଣିଛି। ଚଳିତ ଲହରରେ ଜାରି ରହିଥିବା ସଂକ୍ରମଣ ଆଉ ୪-୬ ସପ୍ତାହ ରହିବ। ଫେବ୍ରୁଆରି ଶେଷ ସୁଦ୍ଧା ତୃତୀୟ ଲହର ସମ୍ପୂର୍ଣ୍ଣ ଫିକା ପଡ଼ିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଗତକାଲି ତୁଳନାରେ ଆଜି ମଧ୍ୟ ଦୈନିକ ସଂକ୍ରମଣରେ ହ୍ରାସ ଘଟିଛି ଏବଂ ଗତ ୨୪ ଘଣ୍ଟାରେ ଦେଶରେ ୨,୩୫,୫୩୨ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ଏବଂ ୨୪ ଘଣ୍ଟାରେ ୮୭୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତୃତୀୟ ଲହରରେ ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ମୃତ୍ୟୁ। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୨୧ ଲକ୍ଷରୁ ତଳକୁ ଖସିଛି ଏବଂ ଆଜି ଏହା ୨୦ ଲକ୍ଷ ୪ ହଜାର ରହିଛି। କରୋନା ସଂକ୍ରମଣ ହାର ମଧ୍ୟ ୧୫.୮ ପ୍ରତିଶତରୁ ଖସି ୧୩.୩୯ ପ୍ରତିଶତରେ ପହଞ୍ଚିଛି। ବିଗତ ୨୪ ଘଣ୍ଟାରେ କରୋନାରୁ ୩ ଲକ୍ଷ ୩୬ ହଜାର ଲୋକ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ହାର ୯୩.୮୯ ପ୍ରତିଶତରେ ପହଞ୍ଚିଛି। ସାପ୍ତାହିକ ସଂକ୍ରମଣ ହାର ୧୬.୮୯ ପ୍ରତିଶତ ରହିଛି। ଆଜି ରିପୋର୍ଟ ହୋଇଥିବା ୮୭୧ କରୋନା ମୃତ୍ୟୁରେ କେରଳ ଯୋଡ଼ିଥିବା ୨୫୮ ପୁରୁଣା ମୃତ୍ୟୁ ମଧ୍ୟ ସାମିଲ ଅଛି।
ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଜାନୁଆରି ୩୧ରୁ ରାତ୍ରି କର୍ଫ୍ୟୁ ଉଠାଇଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ବେଙ୍ଗାଲୁରୁରେ ସମସ୍ତ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି। ଆଜିଯାଏ ଅନ୍ଲାଇନ୍ କ୍ଲାସ ହେଉଥିବା ବେଳେ ସୋମବାରଠାରୁ ସମସ୍ତ କୋଭିଡ୍-ନିୟମାବଳି ପାଳନ-ପୂର୍ବକ ଅଫ୍ଲାଇନ୍ରେ କ୍ଲାସ୍ ହେବ। ବେଙ୍ଗାଲୁରୁର ଡିଗ୍ରି କଲେଜଗୁଡ଼ିକ ବି ଖୋଲିବ। ହୋଟେଲ, ବାର୍ ଓ ପବ୍ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି। ବାହାଘର ପାଇଁ ୩୦୦ ଲୋକଙ୍କୁ ଅନୁମତି ମିଳିଥିବା ବେଳେ ସିନେମା ହଲ୍ଗୁଡ଼ିକ ବନ୍ଦ ରହିବ ବୋଲି କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି।
Follow Us