britain Photograph: (sambad.in)
ନୂଆଦିଲ୍ଲୀ: ଭାରତ ଓ ବ୍ରିଟେନ୍ ମଧ୍ୟରେ ଶିକ୍ଷାଗତ ସମ୍ପର୍କ ଏକ ନୂଆ ଅଧ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ବ୍ରିଟେନ୍ର ୯ଟି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଭାରତରେ ସେମାନଙ୍କ କ୍ୟାମ୍ପସ୍ ଖୋଲିବାକୁ ଯାଉଛନ୍ତି। ଏହା ଉଚ୍ଚ ଶିକ୍ଷା, ପ୍ରତିଭା ବିକାଶ ଓ ଦ୍ରୁତ ଗତିରେ ବଦଳୁଥିବା ସୃଜନଶୀଳ ଶିଳ୍ପରେ ଏକ ଦୀର୍ଘକାଳୀନ ସମ୍ପର୍କର ମୁଳଦୁଆକୁ ଦର୍ଶାଉଛି। ବ୍ରିଟିଶ କାଉନ୍ସିଲ୍ର ପ୍ରତିନିଧି ଆଲିସନ ବାରେଟ କହିଛନ୍ତି ଯେ ବ୍ରିଟେନ୍ ବିଶ୍ବବିଦ୍ୟାଳୟଗୁଡ଼ିକ ଖୋଲିବାକୁ ଯାଉଥିବା ନୂଆ କ୍ୟାମ୍ପସ ଜରିଆରେ ଉଭୟ ଦେଶ ମଧ୍ୟରେ ଛାତ୍ରଛାତ୍ରୀ, ଚିନ୍ତାଧାରା ଓ ବିଶେଷତାର ବିନିମୟ ହୋଇପାରିବ। ବ୍ରିଟେନର ଛାତ୍ରଛାତ୍ରୀମାନେ ଭାରତ ଆସି ଏଠାକାର ସୃଜନଶୀଳ ଶିଳ୍ପ ବିଷୟରେ ପଢ଼ିବେ ଓ ତାହାକୁ ଅଧିକ ଜାଣିପାରିବେ। ଏଠାରେ ଥିବା ସୁଯୋଗ ବିଷୟରେ ଅବଗତ ହୋଇପାରିବେ। ଏହି ବିଶ୍ବବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷା କ୍ଷେତ୍ରରେ ସୀମିତ ରହିବେ ନାହିଁ, ସେମାନେ ଶିଳ୍ପ ସହିତ ମିଳିତ ଭାବେ କାର୍ଯ୍ୟ କରିବେ। ଏହି ସହଯୋଗିତାରେ ପଡ୍କାଷ୍ଟ, ସିନେମା ନିର୍ମାଣ,ଫ୍ୟାସନ ଓ ଡିଜାଇନ ଜଗତ ଉପକୃତ ହେବ।
ଆସନ୍ତା ଦଶ ବର୍ଷ ମଧ୍ୟରେ ବ୍ରିଟେନ ବିଶ୍ବବିଦ୍ୟାଳୟ ଓ ସୃଜନଶୀଳ ଶିଳ୍ପ ମଧ୍ୟରେ ଦୃଢ଼ ସହଯୋଗିତା ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।ଭାରତ ସରକାର ଉଚ୍ଚ ଶିକ୍ଷା କ୍ଷେତ୍ରର ଅର୍ନ୍ତଜାତୀୟକରଣ କରିବାକୁ ପ୍ରୟାସ କରୁଥିବା ବେଳେ ନିଜକୁ ନବସୃଜନ ଓ ସୃଜନଶୀଳ ପ୍ରତିଭାର ଏକ ହବ୍ କରିବାକୁ ଚାହୁଛନ୍ତି। ବ୍ରିଟେନ ବିଶ୍ବବିଦ୍ୟାଳୟଗୁଡ଼ିକ ସହିତ ସହଯୋଗିତା ସେହି ସ୍ବପ୍ନ ସାକାର କରିବାରେ ସହାୟକ ହେବ। ଏହା ଜରିଆରେ ବ୍ରିଟେନ ଏହାର ଶିକ୍ଷା ବ୍ୟବସ୍ଥାକୁୁ ସମ୍ପ୍ରସାରଣ କରିପାରିବ, ବିବିଧ କ୍ଷେତ୍ରର ଛାତ୍ରଛାତ୍ରୀ ହାସଲ କରିପାରିବେ ଏବଂ ବିଶ୍ବସ୍ତରରେ ଶିକ୍ଷାକୁ ନେଇ ହେଉଥିବା ପ୍ରତିଯୋଗିତାରେ ଆଗରେ ରହିପାରିବ। ବ୍ରିଟେନର ବିଶ୍ବବିଦ୍ୟାଳୟଗୁଡ଼ିକ ଯୁଗ୍ମ ମାଷ୍ଟର ଡିଗ୍ରି ଓ ଅଣ୍ଡର ଗ୍ରାଜୁଏଟ୍ ପାଠ୍ୟକ୍ରମ ପ୍ରଦାନ କରିବେ। ବ୍ରିଟେନର ଛାତ୍ରଛାତ୍ରୀମାନେ ଭାରତର ସୃଜନଶୀଳ ଶିଳ୍ପରେ ଇଣ୍ଟର୍ନସିପ୍ ମଧ୍ୟ କରିପାରିବେ।
Follow Us